କରୋନା ଟିକା ନେବା ପରେ ସଂକ୍ରମିତ ହୋଇଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ନାହିଁ: ଏମ୍ସ ରିପୋର୍ଟ

ନୂଆଦିଲ୍ଲୀ: ଟିକା ନେବା ପରେ କରୋନା ସଂକ୍ରମିତ ହୋଇଥିବା କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନାହିଁ । ଏପ୍ରିଲି-ମେ’ରେ ଏଭଳି କୌଣସି ରିପୋର୍ଟ ଆସିନାହିଁ ବୋଲି ଦିଲ୍ଲୀ ଏମ୍ସ ଦ୍ୱାରା କାରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି । ଯେଉଁମାନେ ଟିକା ନେବା ପରେ ସଂକ୍ରମିତ ହୋଇଛନ୍ତି, ସେମାନେ ସୁସ୍ଥ ହୋଇଯାଇଛନ୍ତି ।

ଭାରତରେ ଦ୍ୱିତୀୟ ଲହରୀ ପରେ ବ୍ରେକଥ୍ରୁ ଇନ୍‌ଫେକ୍ସନ୍ ନେଇ ପ୍ରଥମ ଥର ଏମ୍ସ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା । ଯଦି କୌଣସି ବ୍ୟକ୍ତି ଟିକାର ଦୁଇଟି ଯାକ ଡୋଜ୍ ଗ୍ରହଣ କରିବା ପରେ ସଂକ୍ରମିତ ହୁଅନ୍ତି ତେବେ ଏହାକୁ ‘ବ୍ରେକଥ୍ରୁ ଇନ୍‌ଫେକ୍ସନ’ କୁହାଯାଏ । ଏପ୍ରିଲ ରୁ ମେ ମଧ୍ୟରେ ଏଭଳି ମାମଲାକୁ ନେଇ ଏମ୍ସ ତରଫରୁ ହୋଇଥିବା ଅଧ୍ୟୟନରେ ଜଣାପଡିଛି ଯେ, ଟିକା ନେଇଥିବା ଲୋକଙ୍କ ମଧ୍ୟରୁ କାହାର ବି କରୋନାରେ ମୃତ୍ୟୁ ହୋଇନାହିଁ । ଏହି ଅବଧି ମଧ୍ୟରେ ବ୍ରେକ୍‌ଥ୍ରୁ ଇନ୍‌ଫେକ୍ସନର ୬୩ ମାମଲା ଥିଲା । ଏଥିମଧ୍ୟରୁ ୩୬ ଜଣ ଡବଲ ଡୋଜ୍ ଟିକା ନେଇସାରିଥିଲେ । ଏବଂ ବାକି ୨୭ ଜଣ ଭାକ୍ସିନର ଗୋଟିଏ ଡୋଜ୍ ନେଇଥିଲେ । ସେମାନଙ୍କ ମଧ୍ୟରୁ ୧୦ ଜଣ କୋଭିଶିଲ୍ଡ ଓ ଅବଶିଷ୍ଟ ୫୩ ଜଣ ଲୋକ କୋଭାକ୍ସିନ୍ ଟିକା ଲଗାଇଥିଲେ ।

ଆମେରିକାର ସ୍ୱାସ୍ଥ୍ୟ ସଂସ୍ଥା ‘ରୋଗ ନିୟନ୍ତ୍ରଣ ଓ ପ୍ରତିଷେଧକ କେନ୍ଦ୍ର (ସିଡିସି)’ ପକ୍ଷରୁ କୁହାଯାଇଛି ଯେ, ଟିକାକରଣ ପରେ ସଂକ୍ରମିତ ହେବା ବା ହସ୍ପିଟାଲରେ ଭର୍ତ୍ତି ଅବା ମୃତ୍ୟୁ ହେବା ଭଳି ମାମଲା ବହୁତ କମ୍ ।

ଏମ୍ସ ଅଧ୍ୟୟନ ଓ ସିଡିସି ବୟାନରୁ ସ୍ପଷ୍ଟ ଯେ ଟିକା କୋଭିଡ୍‌-୧୯ ବିରୋଧରେ ଏକ ପ୍ରଭାବୀ ପ୍ରତିଷେଧକ ।

Comments are closed.