ରାୟଗଡ଼ା ହୋଟେଲରେ ପୁଟିନଙ୍କ ସମାଲୋଚକ ପାଭେଲ ଆଣ୍ଟୋଭଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆଦିଲ୍ଲୀ: ରୁଷ ସାଂସଦ ପାଭେଲ ଆଣ୍ଟୋଭଙ୍କ ରାୟଗଡାର ଏକ ହୋଟେଲରେ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ଆଣ୍ଟୋଭ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଜଣେ ସମାଲୋଚକ ଥିଲେ ।

ନିକଟରେ ସେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ସମାଲୋଚନା କରିଥିଲେ। ପରେ କିନ୍ତୁ ସେ ତାଙ୍କ ମନ୍ତବ୍ୟ ଫେରାଇ ନେଇଥିଲେ।

ଡିସେମ୍ବର ୨୧ରୁ ଅଣ୍ଟୋଭ ତାଙ୍କର କିଛି ବନ୍ଧୁଙ୍କ ସହ ଓଡିଶାର ରାୟଗଡା ଆସି ସହରର ଏକ ହୋଟେଲରେ ରହିଥିଲେ।

ପୋଲିସର ସୂଚନାନୁସାରେ, ଶନିବାର (ଡିସେମ୍ବର ୨୪) ହୋଟେଲ ବାହାରେ ଆଣ୍ଟଭଙ୍କ ମୃତଦେହ ମିଳିଥିଲା। ଏହାର ଦୁଇ ଦିନ ପୂର୍ବରୁ ତାଙ୍କ ସାଥୀ ଭ୍ଲାଦିମିର ବିଡେନୋଭଙ୍କ ଉକ୍ତ ହୋଟେଲରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ହୋଟେଲର ପ୍ରଥମ ମହଲାରେ ସେ ଚେତାଶୂନ୍ୟ ହୋଇପଡିଥିଲେ ଏବଂ ତାଙ୍କ ଚାରିପାଖରେ ଖାଲି ମଦ ବୋତଲ ପଡ଼ିଥିଲା । ତାଙ୍କୁ ହସ୍ପିଟାଲ୍ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭ ଆତ୍ମହତ୍ୟା କରିଥାଇ ପାରନ୍ତି, ତାଙ୍କ ବନ୍ଧୁଙ୍କ ମୃତ୍ୟୁ ପରେ ସେ ଡିପ୍ରେସନରେ ଥିଲେ।

ତେବେ ଛାତରୁ ହଠାତ୍ ଖସିପଡ଼ି ତାଙ୍କର ମୃତ୍ୟୁ ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇ ନାହିଁ । ସମସ୍ତ ଦିଗରୁ ତଦନ୍ତ କରାଯାଉଥିବା ପୋଲିସ କହିଛି।

ଆଣ୍ଟୋଭ ଓ ବିଡେନୋଭଙ୍କ ସହ ଆସିଥିବା ଅନ୍ୟ ଦୁଇଜଣ ରୁଷ ନାଗରିକଙ୍କୁ ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ରହିବାକୁ ଓ ସହଯୋଗ କରିବାକୁ କୁହାଯାଇଛି।

ସେପଟେ ରୁଷ୍ ଦୂତାବାସ ଆଣ୍ଟୋଭ ଓ ବିଡେନୋଭଙ୍କ ମୃତ୍ୟୁ ନେଇ ପ୍ରତିକ୍ରିୟା ରଖିଛି । ପୋଲିସ ତଦନ୍ତ ଉପରେ ନଜର ରଖାଯାଇଛି ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି ।

Comments are closed.