ଅଧିକ ଚିକିତ୍ସା ପାଇଁ ପନ୍ତଙ୍କୁ ଦିଲ୍ଲୀ ପଠାଯାଇପାରେ

ନୂଆଦିଲ୍ଲୀ: ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଷ୍ଟାର ଇଣ୍ଡିଆନ କ୍ରିକେଟର ରିଷଭ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଦିଲ୍ଲୀ ପଠାଯାଇପାରେ। ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ୍ ଆସୋସିଏସନ(ଡିଡିସିଏ)ର ଏକ ଟିମ୍ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ପାଇଁ ଦେହରାଡୁନର ମ୍ୟାକ୍ସ ହସ୍ପିଟାଲ୍ ପହଞ୍ଚିଛି। ଡିଡିସିଏ ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି, ଆବଶ୍ୟକ ହେଲେ ପନ୍ତଙ୍କୁ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ଦିଲ୍ଲୀକୁ ପଠାଯିବ।

ଦିଲ୍ଲୀରୁ ରୁରକି ଫେରୁଥିବାବେଳେ ପନ୍ତଙ୍କ କାର୍ ଶୁକ୍ରବାର ହାମଦପୁର ଝାଲ୍ ନିକଟ ନରସାନ ସୀମାରେ ଡିଭାଇଡର ସହ ଧକ୍କା ହୋଇ ଜଳି ଯାଇଥିଲା । ସେହି ବାଟ ଦେଇ ଯାଉଥିବା ଏକ ବସର ଡ୍ରାଇଭର ଓ କଣ୍ଡକ୍ଟର ପନ୍ତଙ୍କୁ ଜଳନ୍ତା କାରରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ଶର୍ମା କହିଛନ୍ତି ଯେ କାର୍ ଦୁର୍ଘଟଣାରେ ଶରୀରର ଅନେକ ସ୍ଥାନରେ ଆଘାତ ଲାଗିଥିବାରୁ ପନ୍ତଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜାତୀୟ ରାଜଧାନୀକୁ ନିଆଯାଇପାରେ । ଏଥିପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇପାରେ । ଅନ୍ୟପଟେ ପନ୍ତଙ୍କ ମେରୁଦଣ୍ଡ ଓ ମସ୍ତିସ୍କର ଏମ୍ଆରଆଇ ରିପୋର୍ଟ ନର୍ମାଲ ଅଛି ବୋଲି ବିସିସିଆଇ କହିଛି।

ନିକଟରେ ପନ୍ତ ବାଂଲାଦେଶ ଗସ୍ତରେ ଟେଷ୍ଟ ସିରିଜ୍ ଖେଳିଥିଲେ । ତେବେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଏବଂ ଦିନିକିଆ ସିରିଜ ପାଇଁ ତାଙ୍କୁ ଭାରତୀୟ ଦଳରୁ ବାଦ୍ ପଡ଼ିଥିଲେ ।

Comments are closed.