ଗଞ୍ଜାମ: ପୃଥକ୍ ଦୁର୍ଘଟଣାରେ ୨ ବାଇକ୍ ଚାଳକ ମୃତ, ଗର୍ଭବତୀ ଓ ଶିଶୁଙ୍କୁ ଉଦ୍ଧାର କଲା ପୋଲିସ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ସୋରଡ଼ା ଓ ପାଟପୁର ଥାନା ଇଲାକାରେ ସୋମବାର ପୃଥକ୍ ଦୁର୍ଘଟଣାରେ ଦୁଇ ବାଇକ୍ ଚାଳକ ପ୍ରାଣ ହରାଇଛନ୍ତି। ଜଣେ ମହିଳାଙ୍କ ସମେତ ୪ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ସୋରଡ଼ା ଥାନା ଖାରିଗୁଡ଼ା ଗ୍ରାମରେ ଏକ ୧୦୨ ଆମ୍ବୁଲାନ୍ସ ଧକ୍କାରେ ବାଇକ୍ ଚାଳକ ଗୁଣ୍ଡିବିରା ଗାଁର ଜୟ ମହାଙ୍କୁଡ଼ଙ୍କ ଜୀବନ ଯାଇଛି। ତାଙ୍କ ପତ୍ନୀ ସୁବାସିନୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବାଇକ୍‌ଟି ସୋରଡ଼ା ଆସୁଥିବା ବେଳେ ଆମ୍ବୁଲାନ୍ସଟି ବଡ଼ଗୁଡ଼ାରୁ ସୋରଡ଼ା ଆସୁଥିଲା। ଖାରିଗୁଡ଼ା ଗ୍ରାମ ନିକଟରେ ଦୁଇ ଗାଡ଼ି ଧକ୍କା ହେବାରୁ ଜୟଙ୍କ ସେଠି ହିଁ ମୃତ୍ୟୁ ଘଟିଥିଲା। ତେବେ ସୋରଡ଼ା ଥାନା ପୋଲିସ ସୂଚନା ପାଇବା କ୍ଷଣି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୁର୍ଘଟଣାଗ୍ରସ୍ତ ୧୦୨ ଆମ୍ବୁଲାନ୍ସରେ ଥିବା ଗର୍ଭବତୀ ମହିଳା ଓ ତାଙ୍କର ଏକ ଶିଶୁଙ୍କୁ ସୁରକ୍ଷିତ ଭାବରେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲା ପୋଲିସ। ଦୁହେଁ ସୁସ୍ଥ ଥିବା ଜଣାଯାଇଛି। ଆମ୍ବୁଲାନ୍ସ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି।

ସେପଟେ ପାଟପୁର ଥାନା ପୋଡ଼ାମାରି ନିକଟରେ ଏକ କାର୍ ଧକ୍କାରେ ଜଣେ ବାଇକ୍ ଚାଳକ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଅବିନାଶ ରେଡ୍ଡୀଙ୍କ ମୃତ୍ୟୁ ଘଟିଛି। ବାଇକ୍‌ଟି ବ୍ରହ୍ମପୁରରୁ ତପ୍ତପାଣି ଅଭିମୁଖେ ଯାଉଥିବା ବେଳେ କାର୍‌ଟି କଳାହାଣ୍ଡିରୁ ବ୍ରହ୍ମପୁର ଆସୁଥିଲା ବୋଲି ଜଣାଯାଇଛି। ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ବାଇକ୍‌ଟି ରାସ୍ତା କଡ଼ ବୁଦାରେ ଯାଇ ପଡ଼ିଥିଲା ଓ କାର୍‌ଟି ରାସ୍ତାପାର୍ଶ୍ବ ବିଲକୁ ଖସି ପଡ଼ିଥିଲା। ଅବିନାଶ, କାର୍ ଚାଳକ ଓ କାର୍‌ର ଅନ୍ୟ ଯାତ୍ରୀଙ୍କୁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠି ଅବିନାଶଙ୍କ ମୃତ୍ୟୁ ଘଟିଥିଲା।

Comments are closed.