ବିଶ୍ୱକପ ହକି ବେଳେ କୋଭିଡ ଟେଷ୍ଟିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର – ରୂପ ବଦଲାଇବା ହେଉଛି କରୋନାର ଚରିତ୍ର। ଏବେ ଦେଶରେ ଏକ୍ସବିବି ୧.୫ ନୂଆ ଭାରିଆଣ୍ଟ ଭାବେ ଦେଖାଦେଇଛି। କିନ୍ତୁ ଏହାର ଲକ୍ଷଣ ଓ ଭୟାବହତା ନେଇ କିଛି ସ୍ପଷ୍ଟତା ମିଳିନାହିଁ । ଏ ନେଇ ପରୀକ୍ଷାନୀରିକ୍ଷା ଚାଲିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ଦେଶରେ ୩୦ରୁ ୪୦ ଦିନ ଯାଏ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତା ରହିଛି।

ଏଣେ ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ନଭେମ୍ବର ୧୧ ତାରିଖରୁ ସଂକ୍ରମିତଙ୍କ ସଂଖ୍ୟା ୧୨ ତଳେ ରହୁଛି। ବର୍ତ୍ତମାନ ରାଜ୍ୟରେ ମାତ୍ର ୫୦ ଜଣ ରୋଗୀ ରହିଛନ୍ତି। ଆଗକୁ ସଂକ୍ରମଣ ବଢିପାରେ। ଆଗକୁ ଏହା କେତେ ଭୟଙ୍କର ହେବ, ସେ ନେଇ କିଛି ସୂଚନା ନାହିଁ। ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସମସ୍ତ ମେଡିକାଲ କଲେଜ ଓ ହସପିଟାଲରେ ୨୦ଟି ଲେଖାଏଁ ବେଡ୍ ମହଜୁଦ ରହିଛି। ଜିଲ୍ଲା ଚିକିତ୍ସାଳୟରେ ମଧ୍ୟ ବେଡ୍ ମହଜୁଦ ରହିଛି। ଆବଶ୍ୟକ ପଡିଲେ ଏହି ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ହକି ପାଇଁ କଟକ, ଭୁବନେଶ୍ୱର ଓ ରାଉରକେଲାର ସମସ୍ତ ଅର୍ବାନ ପିଏଚ୍‌ସି ଓ ସିଏଚ୍‌ସିରେ ସମସ୍ତଙ୍କ ଟେଷ୍ଟିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏହାସହ ହକି ଷ୍ଟାଡିୟମ ଭିତରେ ମଧ୍ୟ ଟେଷ୍ଟ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.