ଫେରିଲେ ବୁମରା, ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳରେ ସାମିଲ 

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଦଳ ପାଇଁ ଭଲ ଖବର । ଟିମ୍ ଇଣ୍ଡିଆର ଷ୍ଟାର୍ ପେସର୍ ଯଶପ୍ରୀତ ବୁମରା ସମ୍ପୂର୍ଣ୍ଣ ଫିଟ୍ ଘୋଷିତ ହୋଇଛନ୍ତି । ସେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରୁ ଆକ୍ସନକୁ ଫେରିବେ । ବୁମରାଙ୍କୁ ପୂର୍ବରୁ ଦିନିକିଆ ଏବଂ ଟି୨୦ ସିରିଜରେ ରଖାଯାଇ ନଥିଲା । କିନ୍ତୁ ଆଜି ବିସିସିଆଇ ଦିନିକିଆ ସିରିଜରେ ବୁମରାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଛି | ସେପ୍ଟେମ୍ବର ୨୦୨୨ରୁ ବୁମରା କ୍ରିକେଟରୁ ଦୂରରେ ଥିଲେ । ପିଠିରେ ଆଘାତ ସମସ୍ୟା ଯୋଗୁଁ ସେ ଟି-୨୦ ବିଶ୍ୱକପରୁ ମଧ୍ୟ ବାଦ୍ ପଡିଥିଲେ।

ବୁମରା ଇତିମଧ୍ୟରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଫିଟନେସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କ୍ରିକେଟ ପଡ଼ିଆକୁ ଫେରିବାକୁ ସେ ଫିଟ୍ ଘୋଷିତ ହୋଇଛନ୍ତି । ଟିମ୍ ଇଣ୍ଡିଆ ପାଇଁ ବୁମରା ଫିଟ୍ ହେବା ଏକ ବହୁତ ବଡ଼ ଆଶ୍ବସ୍ତିକର ଖବର | କାରଣ ଆଗକୁ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟେଷ୍ଟ ସିରିଜ୍ ରହିଛି । ତାଙ୍କ ପ୍ରତ୍ୟାବର୍ତ୍ତନ ଦ୍ବାରା ଭାରତୀୟ ବୋଲିଂ ଆହୁରି ଶକ୍ତିଶାଳୀ ହେବ |

ଶ୍ରୀଲଙ୍କା ଦିନିକିଆ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା (କ୍ୟାପଟେନ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ଓ୍ବିକେଟକିପର), ଇଶାନ କିଶନ (ଓ୍ବିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ୍, ଉମ୍ରାନ ମଲିକ, ଅର୍ଶଦୀପ ସିଂ।

Comments are closed.