୨୨ ଦିନ ପରେ ସ୍ବାଭାବିକ ହେଲା ସମ୍ବଲପୁର କୋର୍ଟ, କାର୍ଯ୍ୟରେ ଯୋଗଦେଲେ ଓକିଲ

ସମ୍ବଲପୁର: ଦୀର୍ଘ ୨୨ ଦିନ ପରେ ଆଜି ସମ୍ବଲପୁରରେ କୋର୍ଟ କାର୍ଯ୍ୟ ସ୍ବାଭାବିକ ହୋଇଛି। ଗତକାଲି କିଛି ଓକିଲ କାର୍ଯ୍ୟକୁ ଫେରିଥିବା ବେଳେ ଆଜି ଅବଶିଷ୍ଟ ସମସ୍ତ ଓକିଲ କୋର୍ଟକୁ ଫେରିଛନ୍ତି।

ଗତମାସ ୧୨ ତାରିଖରେ ସମ୍ବଲପୁରରେ ଓକିଲଙ୍କ ସତ୍ୟାଗ୍ରହ ବେଳେ ଗଣ୍ଡଗୋଳ ହିଂସାର ରୂପ ନେଇଥିଲା। ଏପରିକି ବିଚାରପତିଙ୍କ ପ୍ରକୋଷ୍ଠରେ ଭଂଗାରୁଜା ଯାଏ କଥା ଯାଇଥିଲା। ଏଥିରେ ସୁପ୍ରିମକୋର୍ଟ କଡା ଆଭିମୁଖ୍ଯ ଗ୍ରହଣ କରି ସଂପୃକ୍ତ ବ୍ୟକ୍ତିବିଶେଷଙ୍କୁ ଗିରଫ ସହ ସମସ୍ତ ଓକିଲଙ୍କ ଲାଇସେନ୍ସ ନିଲମ୍ବନ ଆଦେଶ ଦେଇଥିଲେ। ଫଳରେ ୩୦ ଓକିଲଙ୍କ ସମେତ ଆନ୍ଦୋଳନକାରୀ ମିଶି ମୋଟ ୩୯ ଜଣ ଗିରଫ ହୋଇ ଜେଲରେ ଅଛନ୍ତି। ସେମାନଙ୍କ ଜାମିନ ଜିଲ୍ଲା କୋର୍ଟରେ ଖାରଜ ହୋଇସାରିଛି। ଏଭଳି ସ୍ଥିତିରେ ୫୬ ଜଣ ଓକିଲଙ୍କ ବ୍ୟତୀତ ଅନ୍ୟ ସମସ୍ତ ଓକିଲଙ୍କ ଲାଇସେନ୍ସ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇସାରିଥିଲେ ହେଁ ଗତକାଲି ସୁଦ୍ଧା କେହି କୋର୍ଟକୁ ଫେରିନଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନି ସମସ୍ତ ଓକିଲ ନିସର୍ତ୍ତରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ୩ ଦିନ ତଳେ ସିଏସି ନିଷ୍ପତ୍ତି ନେଇଥିଲା। ଆଉ ଏହି ଆଧାରରେ ଗତକାଲି କିଛି ଓକିଲ କାର୍ଯ୍ୟରେ ଯୋଗ ଦେଇଥିବା ବେଳେ ଆଜି ଅବଶିଷ୍ଟ ସମସ୍ତ ଓକିଲ କୋର୍ଟକୁ ଫେରି ନିଜ ନିଜ ମହକିଲଙ୍କ ପାଇଁ ଜାମିନ ଆବେଦନ ତଥା ଅନ୍ୟ ମାମଲା ପରିଚାଳନା କରିଛନ୍ତି। ସେପଟେ ଗତ ମଙ୍ଗଳବାରରୁ ୧୪୪ ଧାରା ବି ଉଠିସାରିଛି। ତେବେ, ଗିରଫ ଓକିଲଙ୍କ ଜାମିନ ସହ ଲାଇସେନ୍ସ ନିଲମ୍ବନ ପ୍ରତ୍ୟାହାର ପ୍ରସଙ୍ଗରେ ସିଏସିର ଏକ ପ୍ରତିନିଧି ଦଳ ଖୁବଶୀଘ୍ର ସୁପ୍ରିମକୋର୍ଟ ମୁଖ୍ଯ ବିଚାରପତିଙ୍କୁ ଭେଟିବାକୁ ଯୋଜନା କରିଛି।

Comments are closed.