ମଥୁରାନଗରୀରେ ହକି ବିଶ୍ୱ କପକୁ ଭବ୍ୟ ସ୍ବାଗତ

ମଥୁରାନଗରୀ (ବରଗଡ଼): ଓଡିଶାରେ ଆୟୋଜିତ ହେଉଛି ପୁରୁଷ ହକି ବିଶ୍ୱକପ । ଏଥିପାଇଁ ବିଶ୍ୱ କପ ଟ୍ରଫି ଓଡିଶାର ସବୁ ଜିଲ୍ଲା ପରିକ୍ରମା କରୁଛି । ଏହି କ୍ରମରେ ସୋନପୁର ସୀମାନ୍ତରେ ଥିବା ବରପାଲିର ସିକିର୍ଡି ଠାରେ ଟ୍ରଫିକୁ ମନ୍ତ୍ରୀ ରିତା ସାହୁ, ଛାତ୍ରଛାତ୍ରୀ, ଜନପ୍ରତିନିଧି ଓ ବିଭିନ୍ନ ଅଧିକାରୀ ଓ କ୍ରୀଡା ପ୍ରେମୀ ଜନସାଧାରଣ । ପରେ ଟ୍ରଫିକୁ ବିଜେପୁର ଠାରେ ସ୍ୱାଗତ କରିବା ପରେ ବରଗଡ ଜିଲ୍ଲା ସଦର ମହକୁମା ରେ ପହଂଚି ଥିଲା।

ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ଠାରେ ଭବ୍ୟ ସ୍ୱାଗତ ସହିତ ଏହି ଉଦ୍ଦେଶ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ଭାବରେ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ନେପାକ, ପୌର ପରିଷଦ ଅଧ୍ୟକ୍ଷ କଳ୍ପନା ମାଝୀ, ଜିଲ୍ଲାପାଳ ମୋନିଷା ବାନାର୍ଜୀ, ଏସପି ସ୍ମିତ ପି ପରମାର, କ୍ରୀଡ଼ାବିତ ପ୍ରମୋଦ ଭଗତ, ପଙ୍କଜ ଭୁଏ, ଓ ଦୂତୀ ଚାନ୍ଦ ଉପସ୍ଥିତ ଥିଲେ । ଜିଲ୍ଲାପାଳ ସ୍ୱାଗତ ଭାଷଣରେ ଇଣ୍ଡିଆନ ଟିମକୁ ଜିତିବାର ଶୁଭେଚ୍ଛା ଦେଇଥିବା ବେଳେ ସାଂସଦ ଶ୍ରୀ ପୂଜାରୀ ବରଗଡ ମଧ୍ୟ ହକିର ଜାତୀୟ ସ୍ତରର ଖେଳାଳି ସୃଷ୍ଟି କରିବାର ଲକ୍ଷ୍ୟ ନେଇ କାର୍ଯ୍ୟ କରିବାର ଶୁଭେଚ୍ଛା ଦେଇଥିଲେ ।

ଏହି ଅବସରରେ ପ୍ରସିଦ୍ଧ କ୍ରୀଡ଼ାବିତ ପ୍ରମୋଦ ଭଗତ, ପଙ୍କଜ ଭୁଏ ଓ ଦୂତୀ ଚାନ୍ଦଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଟ୍ରଫି ପରିକ୍ରମା ପାଇଁ ହୋଇଥିବା ହକି, କବାଡି ଓ ମାରାଥନ ଖେଳର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ କୃତ୍ତିବାସ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ଏହା ପରେ ଟ୍ରଫିକୁ କଂସ ମହାରାଜ ଜନସାଧାରଣଙ୍କ ପାଇଁ ରାଜ ଦରବାରରେ ପ୍ରଦର୍ଶିତ କରିଥିଲେ ।

Comments are closed.