ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ, ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକାଧିକ ପ୍ରକଳ୍ପର କରିବେ ଲୋକାର୍ପଣ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଇସ୍ପାତ ନଗରୀ ରାଉରକେଲା ଗସ୍ତ କରି ନବନିର୍ମିତ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌‌କୁ ଉଦ୍‌‌ଘାଟନ କରିବେ। ଏହାସହ ରାଉରକେଲାରେ ‘ମୋ ବସ୍‌‌’ ସେବା, ସୁନ୍ଦରଗଡ଼ରେ ନିର୍ମିତ ୧୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜକୁ ମଧ୍ୟ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୧୧୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଏକାଧିକ ପ୍ରକଳ୍ପ ଲୋକାର୍ପଣ କରିବେ ।

ଆଜି ମୁଖ୍ୟମନ୍ତ୍ରୀ ୧୨ଟା ୧୫ ମିନିଟ ସମୟରେ ରାଉରକେଲା ଏୟାରପୋର୍ଟରେ ପହଞ୍ଚିବେ। ଏଠାରୁ ସେ ସିଧାସଳଖ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଯିବେ। ସେଠାରେ ସେ ବିଶ୍ୱକପ୍‌‌ ହକି ଖେଳାଳିଙ୍କ ରହିବା ଲାଗି ନିର୍ମିତ ୨୨୫ଟି ଆଡମ୍ୱରପୂର୍ଣ୍ଣ କୋଠରୀ ଉଦ୍‌‌ଘାଟନ କରିବା ସହ ଭାରତୀୟ ହକି ଖେଳାଳିଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ମିଳିଛି। ମଧ୍ୟାହ୍ନ ଭୋଜନ ପରେ ମୁଖ୍ୟମନ୍ତ୍ରୀ ରାଉରକେଲାସ୍ଥିତ ଡିଏଭି ପୁଷ୍କରିଣୀ ନିକଟରେ ଆୟୋଜିତ ସଭାରେ ଡିଜିଟାଲ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୧୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପଣ କରିବେ। ଅପରାହ୍ନ ୪ଟା ୨୫ ମିନିଟ ସମୟରେ ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମକୁ ଉଦ୍‌‌ଘାଟନ କରିବେ ।

ହକି ଷ୍ଟାଡିୟମ ସମେତ ୧୧ କୋଟି ୯୯ ଲକ୍ଷ ବ୍ୟୟରେ ନିର୍ମିତ ରାଉରକେଲା ବାସନ୍ତୀ କଲୋନୀ ଡିଏଭି ପୋଖରୀଠାରେ ୱାଟର ପାର୍କ,ମଲ୍ଟି କାର୍‌‌ ପାର୍କିଂ ବ୍ୟବସ୍ଥା, ହନୁମାନ ବାଟିକା ଛକରୁ ଆରଏସ୍‌‌ପି ମୁଖ୍ୟ ଫାଟକ ପର୍ଯ୍ୟନ୍ତ ୧୭ କୋଟି ୯୩ ଲକ୍ଷ ଟଙ୍କା ବ୍ୟୟରେ ହୋଇଥିବା ରିଂ ରୋଡ୍‌‌ର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ପ୍ରସିଦ୍ଧ ଶୈବପୀଠ ବେଦବ୍ୟାସରେ ୧୬ କୋଟି ୭ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ମଧ୍ୟ ଉଦ୍‌‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଏହାଛଡା ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ ଜିଲ୍ଲାର ୧୭ଟି ବ୍ଲକରେ ହକି ଆଷ୍ଟ୍ରୋଟର୍ଫ, ଟ୍ରାଫିକ୍‌‌ ଛକ ନିକଟ ସେନ୍ସରି ପାର୍କ, ରଘୁନାଥପାଲୀ ଭେଣ୍ଡିଂ ଜୋନ୍‌‌, ପାନ୍‌‌ପୋଷ ଏନ୍‌‌ଏସି ମାର୍କେଟ ତଥା ହକି ଛକର ସୌନ୍ଦର୍ଯ୍ୟକରଣ ଆଦି ପ୍ରକଳ୍ପ ଉଦ୍‌‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.