ଅନଲାଇନରେ ଅର୍ଡର କରିଥିବା ବିରିୟାନି ଖାଇ ମହିଳାଙ୍କ ମୃତ୍ୟୁ

କାସରଗୋଡ (କେରଳ): ଅନଲାଇନରୁ ବିରିୟାନି ଅର୍ଡର କରି ଖାଇବା ପରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ହୋଇଛି ।

ପୋଲିସ ସୂଚନା ଅନୁସାରେ ପେରୁମ୍ବାଲା ନିବାସୀ ଅଞ୍ଜୁ ଶ୍ରୀପାର୍ବତୀ ଡିସେମ୍ବର ୩୧ରେ କାସାରଗୋଡର ରୋମାନ୍ସିଆ ନାମକ ଏକ ରେଷ୍ଟୁରାଣ୍ଟରୁ ଅନଲାଇନରେ ‘କୁଝିମନ୍ଥି (ସ୍ଥାନୀୟ ବିରିୟାନି)’ ଅର୍ଡର କରିଥିଲେ । ଏହା ଖାଇବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ ଓ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଯୁବତୀ ଜଣକ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ପରେ ତାଙ୍କୁ କର୍ଣ୍ଣାଟକର ମାଙ୍ଗାଲୁରୁର ଅନ୍ୟ ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଶନିବାର ମୃତ୍ୟୁ ହୋଇଛି ।

ପୋଲିସ କହିଛି ଯେ ଯୁବତୀଙ୍କ ବାପା-ମା’ଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେପଟେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ ଖାଦ୍ୟ ସୁରକ୍ଷା କମିଶନରଙ୍କୁ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ (ଏଫ୍ଏସ୍ଏସ୍ଏ) ଅନୁଯାୟୀ ଅଭିଯୁକ୍ତ ହୋଟେଲର ଲାଇସେନ୍ସ ବାତିଲ କରାଯିବ ।

ଗତ କିଛି ଦିନ ତଳେ କୋଝିକୋଡର ଏକ ହୋଟେଲରୁ ଖାଦ୍ୟ ଖାଇବା ପରେ କୋଟାୟାମ ମେଡିକାଲ କଲେଜର ଜଣେ ନର୍ସଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା।

Comments are closed.