ଇଣ୍ଡିଗୋ ବିମାନରେ ମଦ୍ୟପ ଯାତ୍ରୀଙ୍କ ହଙ୍ଗାମା, ଏୟାର ହଷ୍ଟେସଙ୍କୁ ଅସଦାଚରଣ, ପାଇଲଟଙ୍କୁ ପିଟିଲେ; ଦୁଇ ଗିରଫ

ପାଟନା: ବିମାନରେ ମହିଳାଙ୍କ ଉପରେ ପରିସ୍ରା ଘଟଣାକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ପୁଣି ଏକ ଅସଦାଚରଣ ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀରୁ ପାଟନା ଆସୁଥିବା ଏକ ଇଣ୍ଡିଗୋ ବିମାନରେ ଦୁଇ ଜଣ ଯାତ୍ରୀ ମଦ୍ୟପାନ କରି ବିମାନରେ ପାଟିତୁଣ୍ଡ କରିଥିବା ଅଭିଯୋଗ ହୋଇଛି । ନିଷିଦ୍ଧ ସତ୍ତ୍ବେ ସେମାନେ ବିମାନରେ ମଦ ପିଇଥିଲେ ‌। ଏହାକୁ ବିରୋଧ କରିବାରୁ ଦୁଇ ଯୁବକ ଏୟାର ହଷ୍ଟେସଙ୍କୁ ଅସଦାଚରଣ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ବିମାନର କ୍ରୁ ସଦସ୍ୟ ଏବଂ ଅନ୍ୟ ଯାତ୍ରୀମାନେ ପାଇଲଟଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ପାଇଲଟଙ୍କୁ ମଧ୍ୟ ଅଭିଯୁକ୍ତମାନେ ମାରପିଟ୍ କରିଥିବା ଅଭିଯୋଗ ହୋଇଛି ।

ବିମାନରେ ଏଭଳି ଗଣ୍ଡଗୋଳ ନେଇ ପାଇଲଟ୍ ପାଟନା ବିମାନ ବନ୍ଦରକୁ ସୂଚନା ଦେଇଥିଲେ। ସିଏସ୍ଏଫ୍ ଟିମ୍ ସ୍ଥାନୀୟ ପୋଲିସ ଷ୍ଟେସନକୁ ଏ ସମ୍ପର୍କରେ ଅବଗତ କରାଇଥିଲା । କ୍ୟାପଟେନଙ୍କ ଅଭିଯୋଗ କ୍ରମେ ଏହି ଘଟଣାରେ ଏକ ମାମଲା ରୁଜୁ ହୋଇଥିଲା।

ବିମାନ ପାଟନା ଏୟାରପୋର୍ଟରେ ଅବତରଣ କରିବା ପରେ ଅଭିଯୁକ ଦୁଇ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଏହି ଘଟଣା ଇଣ୍ଡିଗୋ ବିମାନ ନମ୍ବର ୬ଇ-୬୩୮୩ ଦିଲ୍ଲୀ-ପାଟନା ଫ୍ଲାଇଟରେ ଘଟିଥିଲା | ଗିରଫ ଦୁଇ ବ୍ୟକ୍ତି ହେଉଛନ୍ତି ହାଜିପୁରର ବାସିନ୍ଦା ରୋହିତ କୁମାର ଏବଂ ନୀତୀଶ କୁମାର।

Comments are closed.