ହକି ବିଶ୍ବକପ: ଚିଲିକୁ ୩-୧ ଗୋଲରେ ହରାଇଲା ନ୍ୟୁଜିଲାଣ୍ଡ

ରାଉରକେଲା: ନ୍ୟୁଜିଲାଣ୍ଡ ବିଜୟରୁ ହକି ବିଶ୍ୱକପ ୨୦୨୩ରେ ନିଜ ଅଭିଯାନ ଆରମ୍ଭ କରିଛି । ଶନିବାର ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍ ସି’ ମ୍ୟାଚରେ ନ୍ୟୁଜିଲାଣ୍ଡ ୩-୧ ଗୋଲରେ ଚିଲିକୁ ପରାସ୍ତ କରିଛି | ନ୍ୟୁଜିଲାଣ୍ଡ ପକ୍ଷରୁ ସାମ୍ ହିହା ଦୁଇଟି ଗୋଲ ସ୍କୋର କରିଥିଲେ। ମ୍ୟାଚର ପ୍ରଥମ କ୍ୱାର୍ଟରରୁ ହିଁ ନ୍ୟୁଜିଲାଣ୍ଡ ଚିଲିକୁ ଚାପରେ ରଖିଥିଲା । ପ୍ରଥମ କ୍ୱାର୍ଟରରେ ଦଳ ଦୁଇଟି ଗୋଲ୍ ସ୍କୋର କରିଥିଲା। ଏହା ପରେ ଦ୍ୱିତୀୟ କ୍ୱାର୍ଟରରେ ଗୋଟିଏ ଗୋଲ୍ କରିଥିଲା। ପ୍ରଥମ ଥର ବିଶ୍ବକପ୍ ଖେଳୁଥିବା ଚିଲି ଗୋଲ୍ ପାଇଁ ସଂଘର୍ଷ କରିଥିଲା । ଦଳ ଶେଷ କ୍ୱାର୍ଟରରେ କେବଳ ଗୋଟିଏ ଗୋଲ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା।

ଚିଲି ଓ ନ୍ୟୁଜିଲାଣ୍ଡ ମଧ୍ୟର ଏହି ମ୍ୟାଚର ଆରମ୍ଭ ରୋମାଞ୍ଚକର ଥିଲା | ନବମ ମିନିଟରେ ନ୍ୟୁଜିଲାଣ୍ଡ ପାଇଁ ସାମ ଲେନ୍ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହା ଏକ ଫିଲ୍ଡ ଗୋଲ୍ ଥିଲା ଏବଂ ଏହାପରେ ନ୍ୟୁଜିଲାଣ୍ଡ ଆହୁରି ଅଧିକ ଆକ୍ରମଣାତ୍ମକ ଖେଳିଥିଲା ​​। ଏହାର ମାତ୍ର ଦୁଇ ମିନିଟ୍ ପରେ ସାମ ହିହାଙ୍କ ଗୋଲ୍ ବଳରେ ନ୍ୟୁଜିଲାଣ୍ଡର ଅଗ୍ରଣୀ ଦ୍ଵିଗୁଣିତ ହୋଇଥିଲା । ସେ ଏକାଦଶ ମିନିଟରେ ଏହି ଗୋଲ୍ ସ୍କୋର କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ନିଜର ଚାପ ବଜାୟ ରଖିଥିଲା। ୧୮ତମ ମିନିଟରେ ସାମ୍ ହିହା ପୁଣି ଗୋଲ୍ କରିଥିବା ବେଳେ ନ୍ୟୁଜିଲାଣ୍ଡ ୩-୦ରେ ଆଗୁଆ ହୋଇଥିଲା। ତୃତୀୟ କ୍ୱାର୍ଟରରେ ଗୋଲଶୂନ୍ୟ ରହିଥିଲା । କିନ୍ତୁ ଚତୁର୍ଥ କ୍ୱାର୍ଟରରେ ଚିଲି ମ୍ୟାଚରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଏହା ସହଜ ନଥିଲା। ଖେଳ ଶେଷ ହେବାର କିଛି ମିନିଟ୍ ପୂର୍ବରୁ ଚିଲି ପାଇଁ ଇଗନାସିଓ କଣ୍ଟ୍ରାଡୋ ଏକମାତ୍ର ଗୋଲ୍ ସ୍କୋର କରିଥିଲେ।

Comments are closed.