ଦେବଗଡ ବିଜେପି ରାଜନୀତି ସୋସିଆଲ ମିଡିଆରେ ପଦାକୁ ଆସିଲା ସାଂସଦ– ବିଧାୟକଙ୍କ ଫାଟ

ଦେବଗଡ଼ : ଦେବଗଡ଼ ଜିଲ୍ଲା ବିଜେପି ରାଜନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଦୀର୍ଘ ଦିନ ଧରି ଜିଲ୍ଲାର ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ଥିବା କଳି ଏବେ ସୋସିଆଲ ମିଡିଆରେ ପ୍ରତିଫଳିତ ହେଲାଣି । ଫଳରେ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଗତକାଲି ଦେବଗଡରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟନକୁ ନେଇ ବିଜେପି ସାଂସଦ ନିତେଶ ଗଙ୍ଗଦେବ ଏବଂ ବିଧାୟକ ସୁବାସ ପାଣିଗ୍ରାହୀ ନିଜ ନିଜ ଫେସବୁକ ପେଜରେ ଛାଡିଥିବା ପୋଷ୍ଟିଂରୁ ହିଁ ଉଭୟ ନେତାଙ୍କ ମଧ୍ୟରେ ଥିବା ଫାଟକୁ ପଦାକୁ ଆଣିଛି ବୋଲି ଚର୍ଚ୍ଚା ଜୋର ଧରିଛି ।

ଦେବଗଡ଼ ଜିଲ୍ଲା ବିଜେପି ରାଜନୀତି ଅତି ଜଟିଳ ସ୍ଥିତି ଦେଇ ଗତି କରୁଛି । ଏଠାରେ ଗତ ୨୦୧୪ ନିର୍ବାଚନ ବେଳେ ବିଧାୟକ ଥିବା ନିତେଶ ଗଙ୍ଗଦେବ ବର୍ତ୍ତମାନ ସ୍ଥାନୀୟ ଲୋକସଭା ସାଂସଦ ଅଛନ୍ତି । ଆଉ ବିଧାୟକ ଭାବେ ବରିଷ୍ଠ ବିଜେପି ନେତା ସୁବାସ ପାଣିଗ୍ରାହୀ ଜିତିବା ଦିନରୁ ହିଁ ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ମନୋମାଳିନ୍ୟ କଥା ବାରମ୍ବାର ଚର୍ଚ୍ଚାରେ ରହି ଆସିଛି । ଏପରିକି ଉଭୟ ନେତା ପୃଥକ ପୃଥକ ଭାବେ ନିଜ ନିଜର ସଂଗଠନ ଚଳାଇ ଆସିଥିବା ନେଇ ରାଜନୈତିକ ମହଲରେ ସବୁବେଳେ ଆଲୋଚନାର ବିଷୟ ରହିଆସିଛି । ଜିଲ୍ଲାର ଅନେକ ଦଳୀୟ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ପାଣିଗ୍ରାହୀ ନେତୃତ୍ବ ନେଉଥିବା ବେଳେ ଏଥିରେ ଅଧିକାଂଶ ସମୟରେ ସାଂସଦଙ୍କ ଅନୁପସ୍ଥିତି ଏଭଳି ଚର୍ଚ୍ଚାକୁ ଅଧିକ ଖୋରାକ୍‌ ଯୋଗାଇ ଆସିଛି ।

ଏଭଳି ସ୍ଥିତିରେ ଗତକାଲି ଦେବଗଡରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ ହସପିଟାଲ ଉଦଘାଟନ କାର୍ଯ୍ୟକ୍ରମ ଥିଲା । ଭରଚୁଆଲରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଭରଚୁଆଲରେ ସାମିଲ ହୋଇଥିଲେ । ଆଉ ଦେବଗଡରେ ଆୟୋଜିତ ସଭାସ୍ଥଳରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ସାଂସଦ ନିତେଶ ଗଙ୍ଗଦେବ ଏବଂ ବିଧାୟକ ସୁବାସ ପାଣିଗ୍ରାହୀ ତଥା ବେଦାନ୍ତର ଅଧିକାରୀ ଉପସ୍ଥିତ ଥିଲେ ।

ତେବେ, ଏହି କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଗତକାଲି ରାତିରେ ସାଂସଦ ନିତେଶ ଗଙ୍ଗଦେବ ଏବଂ ବିଧାୟକ ସୁବାସ ପାଣିଗ୍ରାହୀ ନିଜ ନିଜ ଫେସବୁକରେ ଏହାକୁ ପୋଷ୍ଟ କରିଛନ୍ତି । ହେଲେ ସୁବାସ ବାବୁ ତାଙ୍କ ପୋଷ୍ଟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବା ବେଳେ ସାଂସଦଙ୍କ ଉପସ୍ଥିତି ନେଇ କିଛି ବି ଲେଖିନାହାନ୍ତି । ସେହିପରି ଚମକପ୍ରଦ ଭାବେ ସାଂସଦ ଶ୍ରୀ ଗଙ୍ଗଦେବ ତାଙ୍କ ଫେସବୁକ ପୋଷ୍ଟରେ ଏହି ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ମନ୍ତ୍ରୀ ଟୁକୁନି ସାହୁଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନାଁ ଉଲ୍ଲେଖ କରି ଧନ୍ୟବାଦ ଦେଇଛନ୍ତି । କିନ୍ତୁ, ନିଜ ଦଳର ସ୍ଥାନୀୟ ବିଧାୟକ ସୁବାସ ବାବୁଙ୍କ ନାଁକୁ ଉଲ୍ଲେଖ କରିନାହାନ୍ତି ।

ଫଳରେ ଏହା ସୋସିଆଲ୍ ମିଡିଆରେ ପୋଷ୍ଟିଂ ହେବା ପରେ ଖୋଦ୍ ଦଳୀୟ କର୍ମୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକେ ଅନେକ ଟାହି ଟାପରା କରୁଥିବା ଦେଖିବାକୁ ମିଳିଛି । ଅପରପକ୍ଷେ, ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ବେଳେ ଜିଲ୍ଲାର ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ଏଭଳି ମନୋମାଳିନ୍ୟ ଦଳକୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେବ ବୋଲି ଚର୍ଚ୍ଚା ହେଲାଣି ।

Comments are closed.