ଆଜି କୋଲକାତାରୁ ବାହାରିବ ବିଜୁବାବୁଙ୍କ ଡାକୋଟା ବିମାନ

ଭୁବନେଶ୍ବର – ବିଜୁବାବୁଙ୍କ ପ୍ରିୟ ଡାକୋଟା ବିମାନ କୋଲକତା ବିମାନବନ୍ଦରରୁ ଭୁବନେଶ୍ବର ଆସିବ । ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଣ୍ଟର ୧୦ଜଣିଅା ଟିମ୍ ୧୨ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲି ବଡ଼ ବଡ କାଠ ବାକ୍ସରେ ପ୍ୟାକିଂ କରିଛନ୍ତି। କୋଲକତା ବିମାନବନ୍ଦରରେ ଦୁଇଟି ବଡ଼ ଲରିରେ ଏହିସବୁ ବାକ୍ସକୁ ଲୋଡିଂ କରାଯାଇଛି। ତେଣୁ ଏହାକୁ କେବଳ ରାତିରେ ଆଣିବାକୁ ଯୋଜନା ହୋଇଛି। ବଡ଼ ଲରି ଯୋଗୁଁ ଟ୍ରାଫିକ୍ ସମସ୍ୟା ଯେପରି ସୃଷ୍ଟି ନ ହୁଏ, ସେଥିପାଇଁ କୋଲକତାରୁ ସ୍ବତନ୍ତ୍ର ପାଟ୍ରୋଲିଂ ଭ୍ୟାନ୍ ଜରିଆରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯିବ। ଏଥିପାଇଁ ବାଲେଶ୍ବର, ଭଦ୍ରକ, ଯାଜପୁର ଜିଲ୍ଲା ପୋଲିସ ସମେତ କମିସନରେଟ ପୋଲିସକୁ ବ୍ୟାପକ ବ୍ୟବସ୍ଥା କରିବାକୁ କୁହାଯାଇଛି।

ଏହି ଡାକୋଟା ବିମାନକୁ ବିଜୁ ପଟ୍ଟନାୟକ ବିମାନବନ୍ଦର ଆଗରେ ସଂରକ୍ଷିତ ରଖିବା ପାଇଁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ୧.୧ଏକର ଜମି ଯୋଗାଇ ଦେଇଛନ୍ତି। ଟର୍ମିନାଲ-୧ ସମ୍ମୁଖରେ ଏହି ଜମି ମିଳିଥିବାବେଳେ ଏଠାରେ ବିମାନଟିକୁ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ। ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକୋଟାକୁ ଲୋକାର୍ପିତ କରିବେ।

Comments are closed.