‘ପଠାନ’କୁ ନେଇ ବିବାଦ ମଧ୍ୟରେ ବିଜେପି ନେତାଙ୍କୁ ଏପରି ପରାମର୍ଶ ଦେଲେ ମୋଦୀ

ନୂଆଦିଲ୍ଲୀ: କୌଣସି ଫିଲ୍ମ ଉପରେ ଅଯଥା ବୟାନବାଜି ନକରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଜାନୁଆରୀ ୧୬-୧୭ରେ ଦିଲ୍ଲୀରେ ଆୟୋଜିତ ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କିଛି ଲୋକ ଫିଲ୍ମ ଉପରେ ମନ୍ତବ୍ୟ ଦେଉଛନ୍ତି, ଯାହା ଦିନସାରା ଗଣମାଧ୍ୟମରେ ବାଜୁଛି । ଅଯଥା ବିବାଦୀୟ ମନ୍ତବ୍ୟରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଦଳର ନେତାମାନଙ୍କୁ ପରାମର୍ଶ ଦେଇଛନ୍ତି।

ନିଜ ନେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏହି ବିବୃତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ ଦେଶରେ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’କୁ ନେଇ ବିବାଦ ଲାଗି ରହିଛି। ପଠାନ ଚଳଚ୍ଚିତ୍ରର ଏକ ଗୀତରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନିକୁ ନେଇ ବିବାଦ ଉଠିଥିଲା । ଏହାକୁ ନେଇ ଅନେକ ବିଜେପି ନେତା ପଠାନ୍ ଫିଲ୍ମ ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ‘ପଠାନ’ ନିର୍ମାତାଙ୍କୁ ଚେତାବନୀ ଦେଇଥିଲେ । ଆପତ୍ତିଜନକ ଦୃଶ୍ୟକୁ ଫିଲ୍ମରୁ ନ ହଟାଇଲେ ମଧ୍ୟପ୍ରଦେଶରେ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲାଗିବ ବୋଲି ସେ କହିଥିଲେ। ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ‘ପଠାନ’ ବିରୋଧରେ ପ୍ରଦର୍ଶନ ହୋଇଥିଲା । ଗୁଜରାଟର ଏକ ମଲ୍ଟିପ୍ଲେକ୍ସରେ ପଶି ବଜରଙ୍ଗ ଦଳର କର୍ମୀମାନେ ‘ପଠାନ’ ଫିଲ୍ମର ପୋଷ୍ଟର ଚିରିବା ସହ ଭଙ୍ଗାରୁଜା କରିଥିଲେ ।

Comments are closed.