ବିରଳ ରକ୍ତଦାନ କରି ଗର୍ଭବତୀଙ୍କ ଜୀବନ ବଞ୍ଚାଇଲେ ପିଏମ୍ଇସି ଛାତ୍ରୀ

ବ୍ରହ୍ମପୁର: ସହର ଉପକଣ୍ଠ ଶୀତଳାପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ (ପିଏମ୍ଇସି)ର କମ୍ପ୍ୟୁଟର୍‌ ସାଇନ୍ସ ତୃତୀୟ ବର୍ଷ ଛାତ୍ରୀ ପ୍ରଣିତାଂଶୁ ଶାନ୍ତି ଦାସଙ୍କ ମହନୀୟ କାର୍ଯ୍ୟ। ‘ଏବି ନେଗେଟିଭ୍‌ (ଏବି-)’ ଭଳି ବିରଳ ଗ୍ରୁପର ରକ୍ତଦାନ କରି ଜଣେ ଚିକିତ୍ସାଧୀନ ଗର୍ଭବତୀ ମହିଳାଙ୍କ ଜୀବନ ରକ୍ଷା କରିବାରେ ସହାୟକ ହୋଇଛନ୍ତି ସେ। ଏକ ଘରୋଇ ଚିକିତ୍ସାଳୟରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ ଉକ୍ତ ମହିଳା। ଅ​ଅସ୍ତ୍ରୋପଚାର ‌ପାଇଁ ତାଙ୍କୁ ଉପରୋକ୍ତ ବିରଳ ଗ୍ରୁପର ରକ୍ତ ଆବଶ୍ୟକ ଥିଲା। ହଠାତ୍ ଡାକ୍ତରଖାନାରେ ରକ୍ତ ଉପଲବ୍ଧ ନଥିବା ଫଳରେ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। କୌଣସି ସୂତ୍ରରୁ ଜାଣିପାରି ତାଙ୍କ ପରିବାରବର୍ଗ ବ୍ରହ୍ମପୁର ସବୁଜ ବାହିନୀ ସଭାପତି ଶିବରାମ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିଥିଲେ। ପ୍ରଣିତାଂଶୁଙ୍କ ରକ୍ତ ଗ୍ରୁପ୍‌ ମଧ୍ୟ ‘ଏବି ନେଗେଟିଭ୍‌’ ଥିବା ଶିବରାମ ପୂର୍ବରୁ ଜାଣିଥିଲେ। ଏଣୁ ପ୍ରଣିତାଂଶୁଙ୍କୁ ଯୋଗାଯୋଗ କରିବାରେ ସେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତଦାନ କରିବାରୁ ଗର୍ଭବତୀଙ୍କ ଚିକିତ୍ସା ସମ୍ଭବପର ହୋଇପାରିଥିଲା ଓ ତାଙ୍କ ଜୀବନ ରକ୍ଷା ସମ୍ଭବପର ହୋଇଥିଲା।

ପ୍ରଣିତାଂଶୁଙ୍କ କହିବା ପ୍ରକାରେ ତାଙ୍କ ମାଆ ସ୍ବର୍ଗତା ପ୍ରଣିତା ଦାସ ମଧ୍ୟ ଜଣେ ନିୟମିତ ରକ୍ତଦାତା ଥିଲେ। କୋଭିଡ୍ ସମୟରେ ଲୋକମାନେ ଘରେ ରହୁଥିବା ବେଳେ ସେ ଦୁଇ ଥର ରକ୍ତଦାନ କରିଥିଲେ। ଏପରିକି ମୃତ୍ୟୁ ପରେ ତାଙ୍କର ଚକ୍ଷୁଦାନ କରାଯାଇଥିଲା। ମାଆଙ୍କ ଠାରୁ ପ୍ରେରଣା ପାଇଥିବା ପ୍ରଣିତାଂଶୁ ରକ୍ତ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ଶିବରାମ ଏବଂ ଏମ୍‌.ଦିଲ୍ଲୀପ କୁମାରଙ୍କ ସହଯୋଗରେ ରକ୍ତଦାନ ଭଳି ମହତ କାର୍ଯ୍ୟ କରିପାରିଥିବା ଯୋଗୁଁ ପ୍ରଣିତାଂଶୁ ଆନନ୍ଦ ବ୍ୟକ୍ତ କରିବା ସହ ତାଙ୍କ ମାଆଙ୍କ ପ୍ରେରଣାକୁ ସ୍ମରଣ କରିଛନ୍ତି। ତାଙ୍କ ବାପା ଶିବ କୁମାର ଦାସ ଜଣେ ବରିଷ୍ଠ ସାମ୍ବାଦିକ ଅଟନ୍ତି।

Comments are closed.