ହକି ବିଶ୍ବକପରେ ଗୋଲ୍ ବର୍ଷା, ପୁଲ୍ ପର୍ଯ୍ୟାୟରେ ହୋଇଛି ୧୩୦ ଗୋଲ୍ 

ଭୁବନେଶ୍ୱର: ଗୋଲ୍ ସଂଖ୍ୟା ଦୃଷ୍ଟିରୁ ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ ଏଯାବତ୍ ହାଇସ୍କୋରିଂ ସାବ୍ୟସ୍ତ ହୋଇଛି । ଟୁର୍ଣ୍ଣାମେଣ୍ଟର ପୁଲ୍ ପର୍ଯ୍ୟାୟ ଶେଷ ହୋଇଛି । ପୁଲ୍ ପର୍ଯ୍ୟାୟର ୨୪ଟି ମ୍ୟାଚରେ ୧୩୦ଟି ଗୋଲ୍ ହୋଇଛି । ଅର୍ଥାତ ପ୍ରତ୍ୟେକ ମ୍ୟାଚରେ ହାରାହାରି ୫.୪୧ ଗୋଲ୍ ହୋଇଛି ।

ନୂଆଦିଲ୍ଲୀରେ ଅନୁଷ୍ଠିତ ୨୦୧୦ ବିଶ୍ବକପରେ ୧୨ଟି ଦଳ ଅଂଶଗ୍ରହଣ କରିଥିଲେ । ଉକ୍ତ ସଂସ୍କରଣରେ ୩୮ଟି ମ୍ୟାଚରେ ୧୯୯ ଗୋଲ ସ୍କୋର କରାଯାଇଥିଲା।

ଚଳିତ ସଂସ୍କରଣରେ ଆହୁରି ୨୦ଟି ମ୍ୟାଚ୍ ବାକି ଅଛି । ଯଦି ଏହି ସ୍କୋରିଂ ଧାରା ଜାରି ରହେ, ତେବେ ଏହା ହକି ବିଶ୍ୱକପ୍ ଇତିହାସରେ ସର୍ବାଧିକ ଗୋଲ୍ ସ୍କୋରିଂ ଟୁର୍ନାମେଣ୍ଟ ହୋଇପାରେ ।

ଚଳିତ ବିଶ୍ବକପରେ ଏପର୍ଯ୍ୟନ୍ତ ହୋଇଥିବା ୧୩୦ଟି ଗୋଲ ମଧ୍ୟରୁ ୮୦ଟି ଫିଲ୍ଡ ଗୋଲ୍ ହୋଇଥିବାବେଳେ ୪୩ଟି ପେନାଲ୍ଟି କର୍ଣ୍ଣରରୁ ସ୍କୋର କରାଯାଇଛି। ଆଉ ୭ଟି ଗୋଲ୍ ପେନାଲ୍ଟି ଷ୍ଟ୍ରୋକରୁ ହୋଇଛି ।

ପୁଲ୍ ସି’ ଟପ୍ କରି ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ନେଦରଲାଣ୍ଡ୍ସ ବର୍ତ୍ତମାନ ସୁଦ୍ଧା ତିନିଟି ପୁଲ୍ ମ୍ୟାଚରେ ସର୍ବାଧିକ ୨୨ଟି ଗୋଲ୍ ସ୍କୋର କରିଛି। ପେନାଲ୍ଟି କର୍ଣ୍ଣରରୁ ଅଷ୍ଟ୍ରେଲିଆ ସର୍ବାଧିକ ୭ଟି ଗୋଲ୍ ସ୍କୋର କରିଥିବାବେଳେ ଫ୍ରାନ୍ସ ପେନାଲ୍ଟି ଷ୍ଟ୍ରୋକରୁ ସର୍ବାଧିକ ଦୁଇଟି ଗୋଲ କରିଛି।

ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କୁ ଚାରୋଟି ସବୁଜ ଏବଂ ୧୫ଟି ହଳଦିଆ କାର୍ଡ ଦେଖାଯାଇଛି ।

ବିଶ୍ୱକପର ଗତ ୧୫ଟି ସଂସ୍କରଣରେ ତୃତୀୟ ଥର ପାଇଁ ୧୬ଟି ଦଳ ଭାଗ ନେଇଛନ୍ତି। ଏହା ପୂର୍ବରୁ ୨୦୦୨ ଏବଂ ୨୦୧୮ରେ ମଧ୍ୟ ୧୬ଟି ଦଳ ଅଂଶଗ୍ରହଣ କରିଥିଲେ

୨୦୦୨ରେ ଜର୍ମାନୀରେ ଅନୁଷ୍ଠିତ ବିଶ୍ବକପରେ ସର୍ବାଧିକ ଗୋଲ୍ ହୋଇଥିଲା । ଉକ୍ତ ସଂସ୍କରଣରେ ୭୨ଟି ମ୍ୟାଚରେ ୩୦୦ଟି ଗୋଲ ହୋଇଥିଲା । କିନ୍ତୁ ତା’ପରେ ବିଶ୍ବକପ ଏକ ଭିନ୍ନ ଫର୍ମାଟରେ ଖେଳାଯାଇଥିଲା ଯେଉଁଥିରେ ୧୬ଟି ଦଳକୁ କେବଳ ଦୁଇଟି ପୁଲରେ ବିଭକ୍ତ କରାଯାଇଥିଲା । ପ୍ରତ୍ୟେକ ପୁଲର ଶ୍ରେଷ୍ଠ ଦୁଇ ଦଳ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ ।

Comments are closed.