ଆଇସିସି ଟେଷ୍ଟ ଦଳରେ ପନ୍ତ ଏକମାତ୍ର ଭାରତୀୟ, ଦିନିକିଆ ଦଳରେ ଆୟର ଓ ସିରାଜ୍

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ୨୦୨୨ ବର୍ଷ ପାଇଁ ପୁରୁଷ ଓ ମହିଳାଙ୍କ ଟେଷ୍ଟ ଏବଂ ଦିନିକିଆ ଦଳ ଘୋଷଣା କରିଛି। ଏହାପୂର୍ବରୁ ଆଇସିସି ସୋମବାର ପୁରୁଷ ଟି-୨୦ କ୍ରିକେଟ୍ ଦଳ ଘୋଷଣା କରିଥିଲା।

ମଙ୍ଗଳବାର ଘୋଷିତ ପୁରୁଷ ଟେଷ୍ଟ ଦଳରେ ଭାରତର ଏକମାତ୍ର ଖେଳାଳି ଭାବେ ରିଷଭ ପନ୍ତଙ୍କୁ ସାମିଲ କରାଯାଇଛି । ସେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଭାବେ ଏହି ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି । ଇଂଲଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଟେଷ୍ଟ ଦଳର ଅଧିନାୟକ କରାଯାଇଛି।

ଅନ୍ୟପକ୍ଷରେ ପୁରୁଷ ଦିନିକିଆ ଦଳରେ ଭାରତର ଦୁଇ ଖେଳାଳି ଶ୍ରେୟାସ ଆୟର ଏବଂ ମହମ୍ମଦ ସିରାଜ୍ ସ୍ଥାନ ପାଇଛନ୍ତି। ପାକିସ୍ତାନର ବାବର ଆଜମଙ୍କୁ ଏହି ଦଳର ଅଧିନାୟକ କରାଯାଇଛି।

ଭାରତର ହରମନପ୍ରୀତ କୌର ଆଇସିସି ମହିଳା ଦିନିକିଆ ଦଳର କ୍ୟାପଟେନ୍ ହୋଇଛନ୍ତି। ହରମନପ୍ରୀତଙ୍କ ବ୍ୟତୀତ ଆଉ ଦୁଇଜଣ ଭାରତୀୟ ଖେଳାଳି ସ୍ମୃତି ମନ୍ଧାନା ଓ ରେଣୁକା ସିଂହ ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି।

ଅପରପକ୍ଷରେ ଆଇସିସି ମହିଳା ଟି-୨୦ କ୍ରିକେଟ୍ ଦଳରେ ମଧ୍ୟ ତିନିଜଣ ଭାରତୀୟ ଖେଳାଳି ଦୀପ୍ତି ଶର୍ମା, ରିଚା ଘୋଷ ଏବଂ ରେଣୁକା ସିଂହ ସ୍ଥାନ ପାଇଛନ୍ତି। ନ୍ୟୁଜିଲ୍ୟାଣ୍ଡର ସୋଫି ଡିଭାଇନ୍ ଏହି ଦଳର ଅଧିନାୟିକା ।

ଏହାପୂର୍ବରୁ ସୋମବାର ଘୋଷିତ ପୁରୁଷ ଟି-୨୦ ଦଳରେ ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ଦିଆଯାଇଛି। ଇଂଲଣ୍ଡର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜୋସ୍ ବଟଲରଙ୍କୁ ପୁରୁଷ ଟି -୨୦ ଦଳର ଅଧିନାୟକ କରାଯାଇଛି ।

Comments are closed.