ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ: ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ ଜବାବରେ ‘କାଶ୍ମୀର ଫାଇଲ୍ସ’ ଦେଖାଇଲା ଏବିଭିପି

ନୂଆଦିଲ୍ଲୀ: ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ନେଇ ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ଦୁଇ ଛାତ୍ର ସଂଗଠନ ମୁହାଁମୁହିଁ ହୋଇଛନ୍ତି । ଷ୍ଟୁଡେଣ୍ଟସ୍ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସ୍ଏଫ୍ଆଇ) ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ୨୦୦୨ ଗୁଜରାଟ ଦଙ୍ଗା ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀର ସ୍କ୍ରିନିଂ କରିଛି । ଏହାର ଜବାବରେ ବିଜେପିର ଛାତ୍ର ସଂଗଠନ ଏବିଭିପି ବିଶ୍ୱବିଦ୍ୟାଳୟ ପରିସରରେ ବିବାଦୀୟ ଫିଲ୍ମ ‘କାଶ୍ମୀର ଫାଇଲ୍ସ’ର ପ୍ରଦର୍ଶନ କରିଥିବା ଜଣାପଡିଛି ।

ବିବିସି ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ମୋଦୀ କ୍ବେଶ୍ଚିନ୍’ ର ପ୍ରଦର୍ଶନକୁ କେନ୍ଦ୍ର ସରକାର ବ୍ୟାନ୍ କରିଛନ୍ତି । କିନ୍ତୁ ଦେଶର କିଛି ବିଶ୍ବବିଦ୍ୟାଳୟରେ ଏହାର ସ୍କ୍ରିନିଂ କରାଯିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

ଏସ୍ଏଫ୍ଆଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି କହିଛି ଯେ, “ଏସ୍ଏଫ୍ଆଇର ଆହ୍ବାନରେ ଗଣତନ୍ତ୍ର ଦିବସରେ ଡକ୍ୟୁମେଣ୍ଟାରୀ ‘ଇଣ୍ଡିଆ: ମୋଦୀ କ୍ବେଶ୍ଚିନ୍’ର ସଫଳ ସ୍କ୍ରିନିଂ ଆୟୋଜନ କରାଯାଇଛି । ଏହି ଡକ୍ୟୁମେଣ୍ଟାରୀ ଦେଖିବାକୁ ୪୦୦ରୁ ଅଧିକ ଛାତ୍ର ଆସିଥିଲେ ଏବଂ ଅପପ୍ରଚାର ତଥା ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଥିବା ଏବିଭିପିର ପ୍ରୟାସକୁ ପଣ୍ଡ କରିଥିଲେ । କ୍ୟାମ୍ପସରେ ବାକ୍ ସ୍ୱାଧୀନତା ଏବଂ ଗଣତନ୍ତ୍ର ପାଇଁ ଛିଡା ହେଇଥିବା ଛାତ୍ର ସମୁଦାୟକୁ ଏସ୍ଏଫ୍ଆଇ ସଲାମ୍ କରୁଛି।”

ଏସ୍ଏଫ୍ଆଇ ଦ୍ବାରା ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ଜବାବରେ ଏବିଭିପି ଛାତ୍ରମାନେ ବିଶ୍ୱବିଦ୍ୟାଳୟ ପରିସରରେ ‘କାଶ୍ମୀର ଫାଇଲ୍ସ’ ପ୍ରଦର୍ଶନ କରିଥିଲେ। ଉଲ୍ଲେଖଯୋଗ୍ୟ, ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏହି ଫିଲ୍ମ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀର ହିନ୍ଦୁମାନଙ୍କ ଗଣହତ୍ୟା ପରେ କାଶ୍ମୀରରୁ ହିନ୍ଦୁମାନଙ୍କ ପଳାୟନ ଉପରେ ଆଧାରିତ ।

Comments are closed.