ରାଷ୍ଟ୍ରପତି ଭବନର ‘ମୋଗଲ ଗାର୍ଡେନ’ର ନାମ ବଦଳିଲା, ଏବେ ‘ଅମୃତ ଉଦ୍ୟାନ’ ଭାବେ ଜଣାଯିବ 

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ‘ମୋଗଲ ଗାର୍ଡେନ’ର ନାମ ପରିବର୍ତ୍ତନ କରିଛନ୍ତି ସରକାର। ଏହି ବଗିଚାକୁ ଏବେ ‘ଅମୃତ ଉଦ୍ୟାନ’ ଭାବେ ନାମିତ କରାଯାଇଛି । ସ୍ବାଧୀନତାର ୭୫ ବର୍ଷ ତଥା ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଏହି ଉଦ୍ୟାନକୁ ଏହି ନୂଆ ନାମରେ ନାମିତ କରାଯାଇଛି । ରାଷ୍ଟ୍ରପତି ଭବନର ଏହି ଉଦ୍ୟାନ ଏହାର ସୌନ୍ଦର୍ଯ୍ୟ ପାଇଁ ବିଖ୍ୟାତ | ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି । ଏଠାରେ ୧୩୮ ପ୍ରକାରର ଗୋଲାପ, ୧୦,୦୦୦ରୁ ଅଧିକ ଟୁଲିପ୍ ଏବଂ ୭୦ଟି ବିଭିନ୍ନ ପ୍ରଜାତିର ପ୍ରାୟ ୫୦୦୦ କିସମର ଫୁଲ ଗଛ ଅଛି । ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ଏହି ଉଦ୍ୟାନକୁ ସାଧାରଣ ଲୋକଙ୍କ ପାଇଁ ଖୋଲିଥିଲେ । ସେବେଠାରୁ ଏହା ପ୍ରତିବର୍ଷ ବସନ୍ତ ଋତୁରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥାଏ।

ପନ୍ଦରରୁ ଊର୍ଦ୍ଧ୍ବ ଏକର ଜାଗାରେ ବ୍ୟାପ୍ତ ଏହି ଉଦ୍ୟାନ ବ୍ରିଟିଶ ଅମଳରେ ନିର୍ମିତ ହୋଇଥିଲା | ମୋଗଲ ଗାର୍ଡେନକୁ ରାଷ୍ଟ୍ରପତି ଭବନର ଆତ୍ମା ବୋଲି ମଧ୍ୟ କୁହାଯାଏ । ରାଷ୍ଟ୍ରପତି ଭବନ ଏବଂ ମୋଗଲ ଗାର୍ଡେନର ସରଞ୍ଚନା ଇଂରାଜୀ ସ୍ଥପତି ସାର୍ ଏଡୱାର୍ଡ ଲୁଟିଏନ୍ସ କରିଥିଲେ।

ଏହି ଉଦ୍ୟାନରେ ରୋଜ୍ ଗାର୍ଡେନ୍, ବାୟୋ ଡାଇଭର୍ସିଟି ପାର୍କ, ହର୍ବାଲ୍ ଗାର୍ଡେନ୍, ବଟରଫ୍ଲାଏ, ମ୍ୟୁଜିକାଲ୍ ଫାଉଣ୍ଟେନ୍, ସଙ୍କେନ୍ ଗାର୍ଡେନ୍, କାକଟସ୍ ଗାର୍ଡେନ୍ ଆଦି ବହୁ ବିଭାଗ ରହିଛି ।

Comments are closed.