କରୋନା ଅପଡେଟ୍‌: ଭାରତରେ ଆଉ ୩୮ ହଜାର ନୂଆ ମାମଲା, ୫୬୦ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଅଛି । ଲଗାତର ଦ୍ୱିତୀୟ ଦିନ ୪୦ ହଜାରରୁ କମ୍ ମାମଲା ଆସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୮,୦୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ମହାମାରୀରେ ଆଉ ୫୬୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଏହି ରୋଗରୁ ୪୩, ୯୧୬ ସୁସ୍ଥ ହୋଇଛନ୍ତି ।

ଭାରତରେ ମୋଟ କରୋନା ମାମଲା ୩ କୋଟି ୧୦ ଲକ୍ଷ ୬୪ ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୪ ଲକ୍ଷ ୧୩ ହଜାର ୯୧ ଲୋକଙ୍କ ମୃତ୍ୟୁ ହୋଇଛି । କୋଭିଡ୍‌-୧୯ରୁ ଏଯାବତ୍‌୩ କୋଟି ୩ ଲକ୍ଷ ୨୭ ହଜାର ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ତଳେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ ଭାରତରେ ୪ ଲକ୍ଷ ୨୪ ହଜାର ଚିକିତ୍ସାଧୀନ ରୋଗୀ ଅଛନ୍ତି ।

କରୋନା ବିରୋଧରେ ଦେଶରେ ଟିକାକରଣ ଜାରି ରହିଛି । ଜୁଲାଇ ୧୬ ସୁଦ୍ଧା ଦେଶରେ ମୋଟ ୩୯ କୋଟି ୯୬ ଲକ୍ଷ ୯୫ ହଜାର କରୋନା ଭ୍ୟାକ୍ସିନ୍ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଆଉ ୪୨ ଲକ୍ଷ ୧୨ ହଜାର ଟିକା ଡୋଜ୍ ଦିଆଯାଇଥିଲା ।

ଆଇସିଏମ୍‌ଆର ଅନୁସାରେ ଭାରତରେ ଏ ପର୍ଯ୍ୟନ୍ତ ମୋଟ ୪୪ କୋଟି ୨୦ ଲକ୍ଷ କରୋନା ଟେଷ୍ଟ କରାଗଲାଣି । ଗତକାଲି ୧୯.୯୮ ଲକ୍ଷ କୋଭିଡ୍ ଟେଷ୍ଟ ହୋଇଥିଲା, ଯାହାର ପଜିଟିଭିଟି ହାର ୩ ପ୍ରତିଶତରୁ କମ୍ ।

ଭାରତରେ କରୋନା ଜନିତ ମୃତ୍ୟୁ ହାର ୧.୩୩ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୫୦ ପ୍ରତିଶତ ଅଛି ।

Comments are closed.