ଟୋକିଓ ଅଲିମ୍ପିକ୍ସ: କ୍ରୀଡ଼ା ଗ୍ରାମରେ ପ୍ରଥମ କୋଭିଡ୍ ମାମଲା ଠାବ

ଟୋକିଓ: ଟୋକିଓ ଅଲିମ୍ପିକ୍ସକୁ ଆଉ ମାତ୍ର ୬ ଦିନ ବାକି ଥିବାବେଳେ ଆୟୋଜକଙ୍କୁ କରୋନା ଚିନ୍ତା ଘାରିଲାଣି । ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ଶନିବାର ପ୍ରଥମ କୋଭିଡ୍ ମାମଲା ଚିହ୍ନଟ ହୋଇଛି । ଆୟୋଜକଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି ।

ସ୍ଥାନୀୟ ଆୟୋଜନ କମିଟିର ମୁଖପାତ୍ର ମାସା ଟାକୟା କହିଛନ୍ତି ଯେ, କ୍ରୀଡ଼ା ଗ୍ରାମରେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ହୋଇଛନ୍ତି । କ୍ରୀଡ଼ା ଗ୍ରାମରେ ଏହା ପ୍ରଥମ କୋଭିଡ୍ ମାମଲା । ସ୍କ୍ରିନିଂ ବେଳେ ଏହା ଜଣାପଡ଼ିଥିଲା । ତେବେ ସଂକ୍ରମିତ ବ୍ୟକ୍ତିଙ୍କ ପରିଚୟ ପ୍ରକାଶ କରାଯାଇ ନାହିଁ । ତାଙ୍କୁ କ୍ରୀଡ଼ା ଗ୍ରାମରୁ ସ୍ଥାନାନ୍ତର କରାଯାଇଛି । ସମ୍ପ୍ରତି ତାଙ୍କୁ ଏକ ହୋଟେଲରେ ଆଇସୋଲେସନରେ ରଖାଯାଇଛି । ଅଲିମ୍ପିକ୍ସ ବେଳେ ହଜାର ହଜାର ଆଥଲେଟ୍ ଓ ଅଧିକାରୀ ଏହି କ୍ରୀଡ଼ା ଗ୍ରାମରେ ରହିବେ ।

ଟୋକିଓ-୨୦୨୦ର ମୁଖ୍ୟ ଆୟୋଜକ ସିକୋ ହାସିମୋତୋ କହିଛନ୍ତି ଯେ, କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରୁଛୁ । ସଂକ୍ରମଣ ବ୍ୟାପିଲେ ଆମେ ତାର ମୁକାବିଲ କରିବାକୁ ଯୋଜନା ପ୍ରସ୍ତୁତ କରିଛୁ ।

କରୋନା ପାଇଁ ପୂର୍ବରୁ ବର୍ଷେ ସ୍ଥଗିତ ରହିଥିବା ଏହି କ୍ରୀଡ଼ା ମହାକୁମ୍ଭ ଜୁଲାଇ ୨୩ରୁ ଆରମ୍ଭ ହେଉଛି । ଏଥର ମଧ୍ୟ ଅଲିମ୍ପିକ୍ସ ପାଇଁ ଟୋକିଓ ବଡ଼ ଆହ୍ୱାନ ସୃଷ୍ଟି କରିିଛି । କୋଭିଡ୍‌-୧୯ ଦୃଷ୍ଟିରୁ ଆୟୋଜକଙ୍କ ଦ୍ୱାରା କ୍ରୀଡ଼ା ଗ୍ରାମରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅଲିମ୍ପିକ୍ସକୁ ବିନା ଦର୍ଶକରେ ଆୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି । ଆୟୋଜକ ନଗରୀ ଟୋକିଓରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଜାପାନ ସରକାର ଅଲିମ୍ପିକ୍ସ ଶେଷ ପର୍ଯ୍ୟନ୍ତ ଜରୁରୀ ପରିସ୍ଥିତି ଜାରି ରଖିବାକୁ ନିଷ୍ପତ୍ତି ହୋଇଛି ।

ପଦକ ବିତରଣ ଉତ୍ସବ ପାଇଁ ମଧ୍ୟ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) କଡ଼ା ଗାଇଡଲାଇନ୍ ଜାରି କରିଛି । ପଦକ ବିତରଣ ଉତ୍ସବରେ ଆଥଲେଟ, ଉପସ୍ଥାପକ/ଉପସ୍ଥାପିକା ଏବଂ ଭଲ୍ୟୁଣ୍ଟର ମାନଙ୍କୁ ମାସ୍କ ପିନ୍ଧିବାକୁ ପଡିବ । ଆଥଲେଟ୍ ମାନେ ନିଜେ ନିଜକୁ ପଦକ ପିନ୍ଧାଇବେ । ପଦକ ବିତରଣ ସମୟରେ ହାତ ମିଳାଇବା ଓ ଆଲିଙ୍ଗନ ଉପରେ କଟକଣା ଜାରି କରାଯାଇଛି । ଗ୍ରୁପ୍ ଫଟୋକୁ ବି ମନା କରାଯାଇଛି ।

Comments are closed.