ଆଦାନୀ ଗ୍ରୁପକୁ ଆଉ ଏକ ଝଟକା, ଆମେରିକାର ଏହି ସୂଚକାଙ୍କରୁ ବାଦ୍ ପଡ଼ିଲା

ନ୍ୟୁୟର୍କ: ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପର ଅଡ଼ୁଆ ବଢ଼ିବାରେ ଲାଗିଛି । ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଏହାର ତିନୋଟି କମ୍ପାନୀକୁ ‘ଓ୍ବାଚ୍ ଲିଷ୍ଟ’ରେ ରଖିବା ପରେ ଏବେ ଆଦାନୀ ଗ୍ରୁପକୁ ଆମେରିକାର ଷ୍ଟକ୍ ମାର୍କେଟରୁ ବଡ଼ ଝଟକା ଲାଗିଛି ।

ଫେବୃଆରୀ ୭ ରୁ ଆଦାନୀ ଏଣ୍ଟରପ୍ରାଇଜେସକୁ ‘ଡାଓ ସଷ୍ଟେନେବିଲିଟି ଇଣ୍ଡିସିଜ’ରୁ ବାଦ୍ ଦେବାକୁ ନିଷ୍ପତ୍ତି ନିଆଯାଇଛି।

‘ଏସ୍ ଆଣ୍ଡ ପି ଡାଓ ଜୋନ୍ସ’ ୱେବସାଇଟରେ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି ଯେ ଶେୟାର ବଜାର ଠକେଇ ଏବଂ ଜାଲିଆତି ଅଭିଯୋଗ ପରେ ଡାଓ ଜୋନ୍ସ ସଷ୍ଟେନେବିଲିଟି ଇଣ୍ଡିସିଜରୁ ଆଦାନୀ ଏଣ୍ଟରପ୍ରାଇଜେସକୁ ହଟାଇ ଦିଆଯିବ।

ଏହି ଖବର ପରେ ଟିଏମସି ସାଂସଦ ମହୁଆ ମଇତ୍ର ଭାରତୀୟ ଷ୍ଟକ ଏକ୍ସଚେଞ୍ଜ କାହିଁକି ଆଦାନୀ ଗ୍ରୁପ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉନି ବୋଲି ପ୍ରଶ୍ନ କରିଛନ୍ତି । ଯଦି ଆନ୍ତର୍ଜାତୀୟ ସୂଚକାଙ୍କ ଆଦାନୀ ଷ୍ଟକ୍ ସଦସ୍ୟତାର ସମୀକ୍ଷା କରୁଛି, ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଏହା କାହିଁକି କରୁନାହିଁ ବୋଲି ସେ ପଚାରିଛନ୍ତି ।

ନିବେଶକମାନଙ୍କ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ‘ଏସ୍ ଆଣ୍ଡ ପି ଡାଓ ଜୋନ୍ସ’ ସୂଚକାଙ୍କ ୨୦୧୨ରେ ଆରମ୍ଭ କରାଯାଇଥିଲା। ଏହାକୁ ଏସ୍ ଆଣ୍ଡ ପି ଗ୍ଲୋବାଲ୍, ଚିକାଗୋ ମର୍କାଣ୍ଟାଇଲ୍ ଏକ୍ସଚେଞ୍ଜ୍ ଗ୍ରୁପ୍ ଏବଂ ନ୍ୟୁଜ୍ କର୍ପୋରେସନ୍ ମିଳିତ ଭାବରେ ଆରମ୍ଭ କରିଥିଲେ।

ଭଲ ରେକର୍ଡ ଥିବା କମ୍ପାନୀଗୁଡିକୁ ‘ଡାଓ ଜୋନ୍ସ ସଷ୍ଟେନେବିଲିଟି ୱାର୍ଲ୍ଡ ଇଣ୍ଡେକ୍ସ’ରେ ସାମିଲ କରାଯାଇଥାଏ |

କର୍ପୋରେଟ୍ ସଷ୍ଟେନେବିଲିଟି ଆସେସମେଣ୍ଟ (ସିଏସ୍ଏ) ମାଧ୍ୟମରେ ଏସ୍ ଆଣ୍ଡ ପି ଗ୍ଲୋବାଲ ଏହିପରି କମ୍ପାନୀଗୁଡିକୁ ଚୟନ କରେ । ଏଥିପାଇଁ ଏହା ବହୁ ମାନଦଣ୍ଡ ଆଧାରରେ ୨୫୦୦ ବଡ଼ କମ୍ପାନୀ ମଧ୍ୟରୁ ଶ୍ରେଷ୍ଠ ୧୦ ପ୍ରତିଶତ କମ୍ପାନୀ ଚୟନ କରିଥାଏ |

Comments are closed.