ହାଇଦ୍ରାବାଦରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିଲା ପାକିସ୍ତାନ, ଯୋଗାଉଥିଲା ହ୍ୟାଣ୍ଡ ଗ୍ରେନେଡ୍

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ୍ କରିଛି ଏନଆଇଏ । ହାଇଦ୍ରାବାଦରେ ଗିରଫ ହୋଇଥିବା ଆତଙ୍କବାଦୀଙ୍କ ଜେରାରୁ ଜଣାପଡିଛି ଯେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଭାରତରେ ‘ଲୋନ ଉଲ୍ଫ ଆଟାକ୍ (ଗଣହତ୍ୟା)’ ପାଇଁ ଯୋଜନା କରିଥିଲା । ଆଇଏସଆଇ ଏବଂ ଲସ୍କର ହାଇଦ୍ରାବାଦରେ ଆକ୍ରମଣ ପାଇଁ ଗ୍ରେନେଡ୍ ଯୋଗାଉଥିଲେ ବୋଲି ଗିରଫ ଆତଙ୍କବାଦୀ ପ୍ରକାଶ କରିଛନ୍ତି।

ଗିରଫ ତିନିଜଣ ଆତଙ୍କବାଦୀ ହେଉଛନ୍ତି ହାଇଦ୍ରାବାଦ ନିବାସୀ । ସେମାନଙ୍କ ବିରୋଧରେ ରୁଜୁ ଏତଲା ମୁତାବକ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ପାଇଁ ଏହି ତିନି ଜଣଙ୍କୁ ଜନଗହଳି ସ୍ଥାନ ଓ ଶୋଭାଯାତ୍ରାରେ ହ୍ୟାଣ୍ଡ ଗ୍ରେନେଡ୍ ଫିଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଇଏସ୍ଆଇ ଓ ଲସ୍କର ଅବଦୁଲ ଜାହିଦଙ୍କୁ ଏହି କାମ ଦେଇଥିଲେ। ହାଇଦ୍ରାବାଦରେ ଆତଙ୍କବାଦ ସହ ଜଡିତ ଅନେକ ମାମଲାରେ ସେ ଜଣେ ଅଭିଯୁକ୍ତ। ଏଫଆଇଆରରେ କୁହାଯାଇଛି ଯେ ଆଇଏସଆଇ ଏବଂ ଲସ୍କରର ନିର୍ଦ୍ଦେଶରେ ଜାହିଦ ମାଜ, ସାମିଉଦ୍ଦିନ୍ ସମେତ ଅନ୍ୟ କିଛି ଯୁବକଙ୍କୁ ଏହି କାମରେ ନିୟୋଜିତ କରିଥିଲା ।

ଜାହିଦ ତା’ର ପାକିସ୍ତାନୀ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ତାଙ୍କ ଗ୍ୟାଙ୍ଗ ସଦସ୍ୟଙ୍କ ସହ ଷଡଯନ୍ତ୍ର କରି ହାଇଦ୍ରାବାଦ ସହରରେ ବିସ୍ଫୋରଣ ଏବଂ ‘ଲୋନ ଉଲ୍ଫ ଆଟାକ୍’ କରି ସାଧାରଣରେ ଆତଙ୍କ ସୃଷ୍ଟି କରିବାକୁ ଯୋଜନା କରୁଥିଲା ।

ଜହିଦଙ୍କ ଘରୁ ହାଇଦ୍ରାବାଦ ପୋଲିସ ଦୁଇଟି ହ୍ୟାଣ୍ଡ ଗ୍ରେନେଡ, ଦୁଇଟି ମୋବାଇଲ ଫୋନ ଏବଂ ୩,୯୧,୮୦୦ ଟଙ୍କା ଜବତ କରିଛି। ପୋଲିସ ତା’ ବିରୋଧରେ ଅକ୍ଟୋବର ୧, ୨୦୨୨ରେ ୟୁଏପିଏ ଅଧୀନରେ ମାମଲା ରୁଜୁ କରିଥିଲା। ଏହି ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟର ‘କାଉଣ୍ଟର ଟେରରିଜିମ୍ ଆଣ୍ଡ୍ କାଉଣ୍ଟର ରେଡିକାଲାଇଜେସନ୍’ ଡିଭିଜନ ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତର କରିଥିଲା । ଜାହିଦ୍ ବ୍ୟତୀତ ପୋଲିସ ମାଜ୍ ହାସନ ଫାରୁକ୍ ଓ ସାଇମୁଦ୍ଦିନ୍ ବିରୋଧରେ ମଧ୍ୟ ୟୁଏପିଏ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି।

Comments are closed.