ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତରେ ଗଣମାଧ୍ୟମକୁ ମିଳିବ ସୂଚନା ଓ ପ୍ରସାରଣ ସୁବିଧା

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଫେବୃୟାରୀ ୧୦ ଓ ୧୧ ତାରିଖରେ ଭୁବନେଶ୍ବର ଓ କଟକ ଗସ୍ତ କରିବା ନେଇ କାର୍ଯ୍ୟକ୍ରମ ରହିଛି । ଏହାକୁ ଦୃଷ୍ଟିରେ ରହି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିସ୍ତୃତ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ।

ରାଷ୍ଟ୍ରପତି ୧୦ ତାରିଖ ସକାଳେ ଭୁବନେଶ୍ବର ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଁଚିବା ପରେ ପୂର୍ବାହ୍ନରେ ଉତ୍କଳ ମଣ୍ଡପ ଠାରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦାନ କରିବେ । ଅପରାହ୍ନରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ୨ୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ୧୧ ତାରିଖ ସକାଳେ ରାଷ୍ଟ୍ରପତି ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ଦର୍ଶନ ସାରି ପୂର୍ବାହ୍ନରେ କଟକ ବିଦ୍ୟାଧରପୁରସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଅଧ୍ଵନସ୍ଥ କେନ୍ଦ୍ରୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଆୟୋଜିତ ୨ୟ ଜାତୀୟ ଧାନ କଂଗ୍ରେସର ସମ୍ମିଳନୀକୁ ଉଦଘାଟନ କରିବେ ।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଯୋଗଦେବାକୁ ଥିବା ଉତ୍କଳମଣ୍ଡପ , ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏବଂ ଧାନ ଗବେଷଣା କେନ୍ଦ୍ରଠାରେ ଆୟୋଜିତ କାର୍ଯ୍ୟକ୍ରମଗୁଡିକର ସିଧା ପ୍ରସାରଣ ନିମନ୍ତେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ବିଭିନ୍ନ ଗଣମାଧ୍ୟମକୁ କମନ ଫିଡ୍ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତିଙ୍କର ଶ୍ରୀ ଲିଙ୍ଗରାଜ ମନ୍ଦିର ଦର୍ଶନର ଫଟୋ ଓ ଭିଡିଓ କଭରେଜ୍ ସମେତ ଅନ୍ୟ କାର୍ଯ୍ୟକ୍ରମଗୁଡିକର ସ୍ଥିର ଚିତ୍ର ଓ ଭିଡିଓ ଉତ୍ତୋଳନର ମଧ୍ୟ ବ୍ୟବସ୍ଥା କରାଯାଇଛି ଏବଂ ଏସବୁ ଗଣମାଧ୍ୟମକୁ ଯୋଗାଇ ଦିଆଯିବାର ବ୍ୟବସ୍ଥା ଗ୍ରହଣ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଗତ ୬ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ ସ୍ତରୀୟ ବୈଠକରେ ଗୃହିତ ନିଷ୍ପତ୍ତି ଆଧାରରେ ବିଭାଗ ପକ୍ଷରୁ ଉପରୋକ୍ତ ମର୍ମରେ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭାଗ ତରଫରୁ ଏହି ବ୍ୟବସ୍ଥାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକ ସଂପର୍କ ଭବନ ସମ୍ମିଳନୀ କକ୍ଷରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଫଟୋ , ଟିଭି ଓ ଲାଇଭ କମନ ଫିଡ୍ ନିମନ୍ତେ ବିଭାଗର ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶକ ତ୍ରିପାଠୀ ଏ ସଂପର୍କରେ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରିବା ସହ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଦାୟିତ୍ବନ୍ୟସ୍ଥ ବିଭାଗୀୟ ଅଧିକାରୀମାନେ ପରିଚୟ ପତ୍ର ସହିତ ଉପସ୍ଥିତ ରହି କାର୍ଯ୍ୟକ୍ରମଗୁଡିକର ବିବରଣୀ ଓ ସୂଚନା ପ୍ରଦାନ କରିବେ ।

ଅନୁଷ୍ଠିତ ବୈଠକରେ ବିଭାଗୀୟ ନିର୍ଦ୍ଦେଶକ ( ବୈଷୟିକ ) ସୁରେନ୍ଦ୍ରନାଥ ପରିଡା , ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ , ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ , ଯୁଗ୍ମ ନିର୍ଦ୍ଦେଶକ ଗୁରବୀର ସିଂ , ଉପ ନିର୍ଦ୍ଦେଶକ ( କେନ୍ଦ୍ରାଚଳ , କଟକ ) ହେମନ୍ତ କୁମାର ନାୟକଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧ୍ୟାକାରୀ , କଟକ ଓ ଭୁବନେଶ୍ବର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Comments are closed.