ସ୍ପଷ୍ଟ କଲେ ସ୍ୱାସ୍ଥ୍ୟମନ୍ତ୍ରୀ, ମାର୍ଚ୍ଚ ୫ରେ ହେବ ନିଟ୍-ପିଜି ପରୀକ୍ଷା

ନୂଆଦିଲ୍ଲୀ: ନିଟ୍-ପିଜି ପରୀକ୍ଷା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୫ରେ ହିଁ ଅନୁଷ୍ଠିତ ହେବ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ଏହା ସ୍ପଷ୍ଟ କରିଛନ୍ତି । ସ୍ନାତକୋତ୍ତର ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଏହି ପରୀକ୍ଷା ଜାତୀୟ ସ୍ତରରେ କରାଯାଇଥାଏ।

ସଂସଦରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ମାଣ୍ଡବୀୟ କହିଛନ୍ତି ଯେ କୌଣସି ଡାକ୍ତରୀ ଛାତ୍ରଙ୍କୁ ପରୀକ୍ଷାରୁ ବଞ୍ଚିତ କରାଯିବା ଉଚିତ ନୁହେଁ । ତେଣୁ ସମସ୍ତ ଏମବିବିଏସ୍ ଛାତ୍ରଙ୍କ ପାଇଁ କଟ୍ ଅଫ୍ ତାରିଖ ବଢ଼ାଇ ଦିଆଯାଇଛି ।

ନିଟ୍-ପିଜି ପାଇଁ ପ୍ରସ୍ତୁତି ହେଉଥିବା କିଛି ଛାତ୍ରଛାତ୍ରୀ ଏହି ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରୁଛନ୍ତି । କାରଣ ସେମାନଙ୍କ ଇଣ୍ଟର୍ନସିପ୍ ଶେଷ କରିବାରେ ବିଳମ୍ବ ହେଉଛି ।

ନିଟ୍-ପିଜି ପରୀକ୍ଷା ଘୁଞ୍ଚାଇବା ଦାବି କରି ମଙ୍ଗଳବାର କିଛି ଛାତ୍ର ଓ ଡାକ୍ତର ଦିଲ୍ଲୀର ଜନ୍ତର ମନ୍ତରରେ ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ (ଏଫ୍ଏଆଇଏମ୍ଏ) ନାମକ ବ୍ୟାନର ତଳେ ଧାରଣା ଦେଇଥିଲେ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିଟ୍-ପିଜି ଆଶାୟୀଙ୍କ ପାଇଁ ଇଣ୍ଟର୍ନସିପ୍ ଶେଷ ତାରିଖ ଜୁନ୍ ୩୦ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ବଢ଼ାଇଥିଲା। ଯାହା ଫଳରେ ଏମବିବିଏସ୍ ଛାତ୍ରମାନେ ସେମାନଙ୍କର ଏକ ବର୍ଷର ବାଧ୍ୟତାମୂଳକ ଇଣ୍ଟର୍ନସିପ୍ ଶେଷ କରିପାରିବେ।

ମଙ୍ଗଳବାର ମନ୍ତ୍ରଣାଳୟ ଏକ ଟୁଇଟ୍ କରି କହିଥିଲା ଯେ ଇଣ୍ଟର୍ନସିପ୍ ବିଳମ୍ବ ଯୋଗୁଁ ନିଟ୍-ପିଜି ପରୀକ୍ଷା ଦେବାକୁ ଅସମର୍ଥ ପାଞ୍ଚଟି ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ୧୩,୦୦୦ ଏମବିବିଏସ୍ ଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ଇଣ୍ଟର୍ନସିପ୍ ସାରିବାର ଶେଷ ତାରିଖ ୧୧ ଅଗଷ୍ଟ ୨୦୨୩କୁ ବୃଦ୍ଧି କରାଯାଇଛି।

Comments are closed.