ସମ୍ବଲପୁରରେ ଡବ୍ଲୁଓଡିସି ଅଧ୍ୟକ୍ଷ: ହୀରାକୁଦକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନରେ ପରିଣତ ପାଇଁ ୧୩୦ କୋଟି ବ୍ୟୟବରାଦ

ସମ୍ବଲପୁର : ସମ୍ବଲପୁର ପାଲଟିବ ପଶ୍ଚିମ ଓଡିଶାର ଗେଟୱେ । ଏହା ବିକାଶର ବି ଏକ ଗେଟୱେ ଭାବେ ପରିଣତ ହେବ । ବିଶେଷ କରି ହୀରାକୁଦକୁ ଏକ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥାନ ଭାବେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିପାଇଁ ୧୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ଦିନିକିଆ ସମ୍ବଲପୁର ଗସ୍ତରେ ଆସି ସେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଡେବ୍ରିଗଡର ପ୍ରକୃତି ନିବାସକୁ ଯାଇ ପ୍ରସ୍ତାବିତ ଇକୋ ରିଟ୍ରିଟ୍ ସ୍ଥାନକୁ ନିରୀକ୍ଷଣ କରିଛନ୍ତି । ପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ପ୍ରକଳ୍ପ ସଂକ୍ରାନ୍ତରେ ସବିଶେଷ ସୂଚନା ଦେଇଥିଲେ । ଏଥିରେ ୨ ବର୍ଷ ତଳେ ହୀରାକୁଦକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥାନ ଭାବେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସେ ସୂଚନା ଦେଇଥିଲେ । ତେବେ , ଏହି ପ୍ରକଳ୍ପ ପାଇଁ ୧୩୦ କୋଟି ଟଙ୍କା ବ୍ୟୟ ହେବ ବୋଲି ସେ ସୂଚନା ଦେଇଥିଲେ । ଏଥିରେ ବିଶ୍ୱସ୍ତରୀୟ ବୋଟିଂ କ୍ଲବରୁ ଆରମ୍ଭ କରି ଜଳଭଣ୍ଡାର ମଧ୍ୟରେ ଭାସମାନ ରେସ୍ତୋରାଂ ଆଦି ବ୍ୟବସ୍ଥା ରହିବା ବୋଲି ସେ ପ୍ରକାଶ କରିଛନ୍ତି ।

ସେହିପରି ଜଳଭଣ୍ଡାର ଭିତରେ ଥିବା ଦ୍ବୀପରେ ୫ ବର୍ଷିଆ ଇକୋ ରିଟ୍ରିଟ୍ ପ୍ରକଳ୍ପ ହାତକୁ ନିଆଯିବ ବୋଲି ସେ ସୂଚନା ଦେଇଥିଲେ । ଅପରପକ୍ଷେ , ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ଉଦ୍ଧିଷ୍ଟ ସମଲେଇ ଯୋଜନାକୁ ଶୀଘ୍ର କାର୍ଯ୍ୟକାରୀ କରିବାକୁ ୨ ସପ୍ତାହ ମଧ୍ୟରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ ପ୍ରାୟ ୨୫୦ ଶହ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଥିବା ନେଇ ତ୍ରିପାଠୀ ଅବଗତ କରାଇଥିଲେ । ଏହି ସମୀକ୍ଷା ବେଳେ ଭାରପ୍ରାପ୍ତ ଜିଲ୍ଲାପାଳ ତଥା ପିଡି ଡିଆରଡିଏ ସୁକାନ୍ତ ତ୍ରିପାଠୀଙ୍କ ସମେତ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.