ଦିଲ୍ଲୀରେ ପୁଣି ଶ୍ରଦ୍ଧା ଭଳି ମର୍ଡର, ହତ୍ୟା ପରେ ଢ଼ାବା ଫ୍ରିଜରରେ ପ୍ରେମିକାର ମୃତଦେହ ଲୁଚାଇଥିଲା ଯୁବକ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣିଥରେ ଶ୍ରଦ୍ଧା ହତ୍ୟାକାଣ୍ଡ ପରି ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀର ନଜଫଗଡ ଅଞ୍ଚଳରେ ଜଣେ ଯୁବତୀକୁ ହତ୍ୟା କରିବା ପରେ ମୃତଦେହକୁ ଏକ ଢ଼ାବାର ଫ୍ରିଜରରେ ଲୁଚାଇ ରଖାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ଏହି ମାମଲାର ଅଭିଯୁକ୍ତ ଢ଼ାବା ମାଲିକ ସାହିଲ ଗେହଲୋଟକୁ ଗିରଫ କରାଯାଇଛି । ପୋଲିସର ସୂଚନାନୁସାରେ ସାହିଲ ହେଉଛି ମୃତ ଯୁବତୀର ପ୍ରେମିକ । ତାକୁ ସେ ତିନି ଦିନ ତଳୁ ହତ୍ୟା କରିଥିଲା ।

ସୂଚନାନୁସାରେ, ମୃତ ଯୁବତୀ ଅଭିଯୁକ୍ତ ସାହିଲର ପ୍ରେମିକା ଥିଲେ। କିଛି ଦିନ ତଳେ ଅଭିଯୁକ୍ତ ସାହିଲର ବିବାହ ଆଉ ଜଣେ ଝିଅ ସହିତ ଠିକ୍ ହୋଇଥିଲା । ତା’ ପ୍ରେମିକା ଏହାକୁ ବିରୋଧ କରିବାରୁ ସାହିଲ ତାକୁ ହତ୍ୟା କରି ନିଜ ଢ଼ାବାରେ ଥିବା ଏକ ଫ୍ରିଜରରେ ମୃତଦେହ ଲୁଚାଇ ରଖିଥିଲା ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ମେହରୋଲି ଅଞ୍ଚଳରେ ଘଟିଥିବା ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବ ପୁନାୱାଲା ତା’ର ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା କରି ମୃତଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା । ଶ୍ରଦ୍ଧା ହତ୍ୟା ମାମଲାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆଫତାବ୍ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଫ୍ରିଜରେ ରଖିଥିଲା । ସେଥିପାଇଁ ସେ ଏକ ନୂଆ ଫ୍ରିଜ୍ କିଣି ଆଣିଥିଲା । ପରେ ମୃତଦେହ ଖଣ୍ଡ ଗୁଡ଼ିକୁ ମେହେରୋଲି ଓ ଗୁରୁଗ୍ରାମ ଜଙ୍ଗଲରେ ଫିଙ୍ଗିଥିଲା ଆଫତାବ୍ ।

Comments are closed.