ତୁର୍କୀ, ସିରିଆରେ ମୃତ୍ୟୁସଂଖ୍ୟା ୪୧ ହଜାର ଟପିଲା, ୭୦ ଲକ୍ଷରୁ ଉର୍ଦ୍ଧ୍ବ ପିଲା ପ୍ରଭାବିତ

ଆଙ୍କାରା: ଭୂକମ୍ପର ୧୦ ଦିନ ପରେ ମଧ୍ୟ ତୁର୍କୀ ଏବଂ ସିରିଆରେ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଏପର୍ଯ୍ୟନ୍ତ ଦୁଇ ଦେଶରେ ୪୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ତୁର୍କୀରେ ଏପର୍ଯ୍ୟନ୍ତ ୩୫,୪୧୮ ଲୋକ ପ୍ରାଣ ହରାଇଥିବା ବେଳେ ସିରିଆରେ ୫,୮୦୦ ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଉଭୟ ଦେଶରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଜାତିସଂଘ କହିଛି ଯେ ଉଭୟ ଦେଶରେ ଏହି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ୭୦ ଲକ୍ଷରୁ ଉର୍ଦ୍ଧ୍ବ ପିଲା ପ୍ରଭାବିତ ହୋଇଛନ୍ତି। ଅନ୍ୟପକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଭୂକମ୍ପକୁ ୟୁରୋପରେ ୧୦୦ ବର୍ଷ ମଧ୍ୟରେ ସବୁଠାରୁ ବଡ ପ୍ରାକୃତିକ ବିପର୍ଯ୍ୟୟ ବୋଲି କହିଛି ।

ଏହା ପୂର୍ବରୁ ମଙ୍ଗଳବାର ସିରିଆ ରାଷ୍ଟ୍ରପତି ବାଶାର-ଅଲ-ଅସଦ ତୁର୍କୀ ସହିତ ଆଉ ଦୁଇଟି ସୀମା ଖୋଲିବାକୁ ଘୋଷଣା କରିଥିଲେ । ଏହା ଦ୍ବାରା ଜାତିସଂଘ ସିରିଆକୁ ରିଲିଫ ସାମଗ୍ରୀ ପଠାଇବାରେ ସୁବିଧା ହେବ। ଏହି ଦୁଇ ସୀମା ଆସନ୍ତା ୩ ମାସ ପାଇଁ ଖୋଲା ରହିବ | ୨୦୧୧ରେ ସିରିଆରେ ଆରମ୍ଭ ହୋଇଥିବା ଗୃହଯୁଦ୍ଧ ପରେ ପ୍ରଥମ ଥର ପାଇଁ ଏହି ଦୁଇ ସୀମା ଖୋଲାଯାଇଛି |

Comments are closed.