ଆଦାନୀ-ହିଣ୍ଡେନବର୍ଗ ମାମଲା: ସରକାରଙ୍କ ପ୍ରସ୍ତାବ ଖାରଜ, ବନ୍ଦ ଲଫାପାରେ ବିଶେଷଜ୍ଞଙ୍କ ନାମ ଗ୍ରହଣ କରିବାକୁ ମନାକଲେ ସୁପ୍ରିମକୋର୍ଟ 

ନୂଆଦିଲ୍ଲୀ: ଆଦାନୀ-ହିଣ୍ଡେନବର୍ଗ ମାମଲାର ତଦନ୍ତ ପାଇଁ ବିଶେଷଜ୍ଞଙ୍କ ନାମ ବନ୍ଦ ଲଫାପାରେ ନେବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଗତ ଶୁଣାଣି ସମୟରେ କୋର୍ଟଙ୍କ ନିର୍ଦ୍ଦେଶରେ ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ରାଜି ହୋଇଥିଲେ। ସେତେବେଳେ ସରକାର ଏକ ବନ୍ଦ ଲଫାପାରେ ବିଶେଷଜ୍ଞଙ୍କ ନାମ ଦେବାକୁ ପ୍ରସ୍ତାବ ଦେଇଥିଲେ।

ଶୁକ୍ରବାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାର ତଦନ୍ତରେ ଆମେ ସ୍ୱଚ୍ଛତା ଚାହୁଁଛୁ। ତେଣୁ କେନ୍ଦ୍ରର ପରାମର୍ଶ ଗ୍ରହଣ କରାଯାଇପାରିବ ନାହିଁ। କୋର୍ଟ କହିଛନ୍ତି – ଯଦି ଆପଣ ଦେଇଥିବା ନାମ ଅନ୍ୟ ପକ୍ଷକୁ ଦିଆଯାଇନଥାଏ, ତେବେ ସ୍ୱଚ୍ଛତାର ଅଭାବ ରହିବ। ସେଥିପାଇଁ ଆମେ ଆମ ତରଫରୁ ଏକ ବିଶେଷଜ୍ଞ କମିଟି ଗଠନ କରିବୁ। ସେ କହିଛନ୍ତି ଯେ ଆମେ ଏନେଇ ରାୟ ସଂରକ୍ଷିତ ରଖିଛୁ।

ଏହି ମାମଲାରେ ଏପର୍ଯ୍ୟନ୍ତ ୪ଟି ପିଟିସନ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରାଯାଇଛି । ଜଣେ ସାମାଜିକ କର୍ମୀ ବୋଲି ଦାବି କରୁଥିବା ଓକିଲ ଏମ.ଏଲ୍ ଶର୍ମା, ବିଶାଲ ତିୱାରୀ, କଂଗ୍ରେସ ନେତା ଜୟା ଠାକୁର ଏବଂ ମୁକେଶ କୁମାରଙ୍କ ତରଫରୁ ଏହି ପିଟିସନ ଦାଖଲ ହୋଇଛି। ଏହି ମାମଲାର ପ୍ରଥମ ଶୁଣାଣି ଶୁକ୍ରବାର (ଫେବୃଆରୀ ୧୦) ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ପିଏସ୍ ନରସିଂହା ଏବଂ ଜେ.ବି ପାରଦୀୱାଲା କରିଥିଲେ। ଦ୍ୱିତୀୟ ଶୁଣାଣି ସୋମବାର (ଫେବୃଆରୀ ୧୩) ହୋଇଥିଲା।

Comments are closed.