ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସମୂହ ଅଣ୍ଡାଦାନ ଆରମ୍ଭ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ବଙ୍ଗୋପସାଗର ଉପକୂଳରେ ଏବେ ଦେଖିବାକୁ ମିଳୁଛି ପ୍ରକୃତି ତଥା ସୃଷ୍ଟିର ଏକ ଅନବଦ୍ୟ ଦୃଶ୍ୟ। ହଜାର ହଜାର ସଂଖ୍ୟାରେ ବିରଳ ସାମୁଦ୍ରିକ କଇଁଛ ଅଲିଭ୍ ରିଡଲେ ଏବେ ବାଲୁକା ଶର୍ଯ୍ୟାମୁହାଁ। ଋଷିକୁଲ୍ୟା ମୁହାଣ ପାଳିବନ୍ଧ ଓ ପୋଡମପେଟା ଅଞ୍ଚଳରେ ଆରମ୍ଭ ହୋଇଛି ଗଣ ଅଣ୍ଡାଦାନ ପର୍ବ। ଗୁରୁବାର ଦିନ ଓ ରାତିରେ ହଜାର ହଜାର କଇଁଛ ଉପକୂଳକୁ ଆସି ଲକ୍ଷାଧିକ ଅଣ୍ଡା ଦେଇଛନ୍ତି। ପାଇଁ ଅନୁକୂଳ ଥିବା ହେତୁ ଚଳିତ ବର୍ଷ ଆଗୁଆ ଅଣ୍ଡାଦାନ ଆରମ୍ଭ ହୋଇଥିବା କହିଛନ୍ତି ପରିବେଶବିତ୍ ଓ ଜୀବପ୍ରେମୀ। ସାଧାରଣତଃ ଅଲିଭ୍ ରିଡଲେ କଇଁଛ ରାତିର ଅନ୍ଧକାର ଭିତରେ ଅଣ୍ଡା ଦେବାକୁ ଉପକୂଳକୁ ଆସୁଥିବା ବେଳେ ଏଥର ଆରମ୍ଭରୁ ବ୍ୟତିକ୍ରମ ସ୍ବରୂପ ଦିନବେଳେ ମଧ୍ୟଶହ ଶହ କଇଁଛ ଆସି ଅଣ୍ଡାଦାନ କରିଛନ୍ତି। ବସନ୍ତ ଋତୁରେ ବେଳାଭୂମି ତାପମାତ୍ରା କଇଁଛଙ୍କ ପାଇଁ ବର୍ତ୍ତମାନ ଅନୁକୂଳ ରହିଛି। ଦକ୍ଷିଣା ପବନ ପ୍ରବାହିତ ହେଉଛି। ତେଣୁ ଆଗୁଆ ଅଣ୍ଡାଦାନ ଆରମ୍ଭ କରିଛନ୍ତି ଅଫିସ୍ ରିଡଲେ କଇଁଛ।

ପ୍ରଥମ ଦିନ ପ୍ରାୟ ୧୫ ହଜାର କଇଁଛ ଗଣ ଅଣ୍ଡାଦାନ କରିଥିବା ଦର୍ଶାଇଛନ୍ତି ବ୍ରହ୍ମପୁର ବନ ବିଭାଗ ଡିଏଫ୍ଓ ଅମ୍ଲାନ ନାୟକ। କଇଁଛ ଓ ଅଣ୍ଡାଗୁଡିକର ସୁରକ୍ଷା ସକାଶେ ବନ କର୍ମଚାରୀଙ୍କ ସମେତ ସ୍ବେଚ୍ଛାସେବୀଙ୍କୁ ମିଶାଇ ୧୫୦ରୁ ଅଧିକ ଜଣ ନିୟୋଜିତ ହୋଇଛନ୍ତ। ୫ ଗୋଟି ଟ୍ରଲର୍ ସମୁଦ୍ର ମଧ୍ୟରେ ପଇଁତରା ମାରୁଛନ୍ତି। ବନ ବିଭାଗ, ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ଥାନା ପୋଲିସ ଦ୍ବାରା ଜଳ ଓ ସ୍ଥଳ ଭାଗରେ ପାଟ୍ରୋଲିଂ କରାଯାଉଛି। କାଳେ ମାଛ ଜାଲରେ କଇଁଛ ଧରା ପଡ଼ି ପ୍ରାଣ ହରାଇଲେ ସେହି ଆଶଙ୍କାରେ ଆର୍ଯ୍ୟପଲ୍ଲୀରୁ ପ୍ରୟାଗୀ ପର୍ଯ୍ୟନ୍ତ ୨୦ କିମି ଅଞ୍ଚଳରେ ମାଛଧରା ଉପରେ କଟକଣା ଜାରି କରାଯାଇଛି। ପୂର୍ବର ଗଣ ଅଣ୍ଡାଦାନ ଇତିହାସକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାର ୫୨ କିମି ଉପକୂଳ ଅଞ୍ଚଳରେ ୧୧ଟି ଅସ୍ଥାୟୀ ଶିବିର ଓ ୬ଟି ହ୍ୟାଚେରୀ କରିଛି ବନବିଭାଗ।

Comments are closed.