ଆଚାର୍ଯ୍ୟ ହରିହର ଦାସଙ୍କ ୧୪୫ ତମ ଜୟନ୍ତୀ ପାଳନ

ଭୁବନେଶ୍ବର: ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟର ଆଦର୍ଶ ଶିକ୍ଷକ , ଭାରତୀୟ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ପୁରୋଧା , ସମାଜ ସଂସ୍କାରକ , ଋଷି ପ୍ରତିମ ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସଙ୍କ ୧୪୫ ତମ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଆଜି ସକାଳେ ସ୍ଥାନୀୟ ଆଚାର୍ଯ୍ୟବିହାର ସ୍ଥିତ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ( ବୈଷୟିକ ) ସୁରେନ୍ଦ୍ର ନାଥ ପରିଡା ଅତିଥି ଭାବେ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଭାଗବତ ପ୍ରସାଦ ଦାଶ , ସଂପାଦକ ଶିଶିର କୁମାର ମହାପାତ୍ର , ଉପ ସଭାପତି ଯଦୁମଣି ସ୍ବାଇଁ , କୋଷାଧ୍ୟକ୍ଷ ରାମଚନ୍ଦ୍ର କୁଣ୍ଡୁ , ବରିଷ୍ଠ ନାଗରିକ ଅଜିତ୍ ରଥ , ପ୍ରତାପ କୁମାର ମହାପାତ୍ର , ସିଦ୍ଧାର୍ଥ ଦାସ , ସ୍ଥାନୀୟ କର୍ପୋରେଟର ଝରଣାରାଣୀ ପତି ପ୍ରମୁଖ ଯୋଗ ଦେଇ ଆଚାର୍ଯ୍ୟ ହରିହରଙ୍କ ପ୍ରତି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଅତିଥି ଓ ବକ୍ତାମାନେ ଆଚାର୍ଯ୍ୟଙ୍କ ସେବା ଓ ଦେଶପ୍ରେମ , ତ୍ୟାଗ , ମାନବୀୟ ମୂଲ୍ୟବୋଧ ଆଦି ଗୁଣର ଅବତାରଣା କରିବା ସହିତ ଆଚାର୍ଯ୍ୟଙ୍କ ଜୀବନର ମୂଳମନ୍ତ୍ର “ ଭଲ ମଣିଷ ହୁଅ ” କୁ ସମସ୍ତେ ଆପଣାଇବାକୁ କହିଥିଲେ । ଆଚାର୍ଯ୍ୟ ହରିହରଙ୍କ ଆଦର୍ଶ ଯୁଗଯୁଗ ଧରି ପ୍ରେରଣା ଦେଉଥିବ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ , ସହକାରୀ ନିର୍ଦ୍ଦେଶକ ( କ୍ଷେତ୍ର ) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ଅନ୍ୟ ପଦାଧିକାରୀ , ରାଜ୍ୟ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁ ଶାସନ ସଚିବ ଲକ୍ଷ୍ମୀଧର ବେହେରା , ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Comments are closed.