ମେଘାଳୟ: ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ଏନପିପି ମୁଖ୍ୟ କନରାଡ ସାଙ୍ଗମା

ଶିଲଂ: ମେଘାଳୟ ବିଧାନସଭା ନିର୍ବାଚନରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ମୁଖ୍ୟ କନରାଡ ସାଙ୍ଗମା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ଶୁକ୍ରବାର ମେଘାଳୟ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ପ୍ରଦାନ କରିବା ସହ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି । ତାଙ୍କ ପାଖରେ ପୂର୍ଣ୍ଣ ବହୁମତ ରହିଥିବା ସେ ଦାବି କରିଛନ୍ତି । ମେଘାଳୟର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ତାଙ୍କ ଦଳକୁ ୩୨ ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି । ଦୁଇ ବିଜେପି ବିଧାୟକଙ୍କ ସମର୍ଥନ ମଧ୍ୟ ତାଙ୍କ ପ୍ରତି ରହିଛି ବୋଲି କହିଛନ୍ତି ସାଙ୍ଗମା ।

ଫେବୃଆରୀ ୨୭ରେ ହୋଇଥିବା ମେଘାଳୟ ବିଧାନସଭା ନିର୍ବାଚନ ଫଳାଫଳ ଗୁରୁବାର (ମାର୍ଚ୍ଚ ୨) ଘୋଷଣା ହୋଇଥିଲା । ରାଜ୍ୟର ୫୯ଟି ଆସନ ମଧ୍ୟରୁ କନରାଡ ସାଙ୍ଗମାଙ୍କ ଏନପିପି ସବୁଠୁ ବଡ଼ ଦଳ ଭାବେ ୨୬ଟି ଆସନ ଜିତିଥିଲା । ତେବେ ଦଳ ମ୍ୟାଜିକ୍ ନମ୍ବର ୩୧ରୁ ପାଞ୍ଚଟି ଆସନ ଦୂରରେ ରହିଯାଇଥିଲା ।

ମେଘାଳୟ ବିଧାନସଭା ନିର୍ବାଚନରେ ​​ପ୍ରଶଂସନୀୟ ପ୍ରଦର୍ଶନ ପାଇଁ ସାଙ୍ଗମାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ମେଘାଳୟର ଅଗ୍ରଗତି ପାଇଁ ଏନପିପି ସହ ଘନିଷ୍ଠ ଭାବେ କାର୍ଯ୍ୟ ଜାରି ରଖିବାକୁ ସେ ଅପେକ୍ଷା କରିଛନ୍ତି। ସାଙ୍ଗମାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଏହି ପ୍ରତିକ୍ରିୟା ଦେଇଛନ୍ତି।

ବିଜେପି ସାଙ୍ଗମାଙ୍କ ତୃତ୍ୱରେ ସରକାର ଗଠନ ପାଇଁ ଏନପିପିକୁ ସମର୍ଥନ ପତ୍ର ପ୍ରଦାନ କରିବା ପରେ ସେ ଏକ ଟୁଇଟରେ ବିଜେପି ନେତୃବର୍ଗକୁ ଧନ୍ୟବାଦ ଜଣାଇଛନ୍ତି।

ଉଲ୍ଲେଖଯୋଗ୍ୟ, କନରାଡ ହେଉଛନ୍ତି ପୂର୍ବତନ ଲୋକସଭା ବାଚସ୍ପତି ତଥା ଏନପିପି ପ୍ରତିଷ୍ଠାତା ପିଏ ସାଙ୍ଗମାଙ୍କ ପୁଅ। କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସହିତ ଅଲଗା ହେବା ପରେ ସେ ଏନପିପି ଗଠନ କରିଥିଲେ। ୨୦୧୬ରେ ସାଙ୍ଗମାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା ।

Comments are closed.