କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ପ୍ରଣବଙ୍କ ପ୍ରଶ୍ନ : ହିଂସାକୁ ସମର୍ଥନ କରି ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି?

ଭୁବନେଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀରେ ହୋଇଥିବା ବିଜେପିର ବିକ୍ଷୋଭ ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିବାରୁ ଏହାର ଜବାବ ରଖୁଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଟୁଇଟ୍ କରି ଶ୍ରୀ ଦାସ କହିଛନ୍ତି ଯେ ଭାଇ , ଆପଣଙ୍କ ଦଳର ଯୁବମୋର୍ଚ୍ଚା ସଭାପତି ଈରାଣିଷ ଆଚାର୍ଯ୍ୟ ଜଣେ ହତ୍ୟା ଅଭିଯୁକ୍ତ । ଏବେ ସେ ଜାମିନରେ ଅଛନ୍ତି । ନିକଟରେ ରାଜଧାନୀରେ ବିକ୍ଷୋଭ ନାଁରେ ତାଙ୍କ ନେତୃତ୍ବରେ ପୁଲିସ ଉପରେ ମରଣାନ୍ତକ ଆକ୍ରମଣ ହେଲା । ଦେଖନ୍ତୁ ଏହି ଭିଡିଓ । ମୁଁ ଆଗରୁ ମଧ୍ୟ ଏହା ଆପଣଙ୍କୁ ଦେଇଥିଲି । ଆପଣ ନିଶ୍ଚୟ ଦେଖୁବେ । ଏଭଳି ନେତାଙ୍କୁ ସମର୍ଥନ କରି ଆପଣ ଓଡ଼ିଶାର ଯୁବକମାନଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ?

କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ଦାସ ଆହୁରି କହିଛନ୍ତି , ଆପଣ ଯାହାଙ୍କୁ ବିରୋଧୀ ଦଳର ନେତା କରିଛନ୍ତି , ସେ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ ଏବଂ ଜଘନ୍ୟ ହତ୍ୟା ମାମଲାରେ ସଂପୃକ୍ତ । ସ୍ବାସ୍ଥ୍ୟ ଆଳରେ ଜାମିନରେ ଆସିଲା ପରେ ମଧ୍ୟ ସେ ଅପରାଧ ଘଟାଇ ଚାଲିଛନ୍ତି । ଓଡ଼ିଶା ରାଜନୀତି ପାଇଁ ଏହା ଶୁଭଙ୍କର ନୁହେଁ । ଓଡ଼ିଶାବାସୀ ଏସବୁ ଦେଖୁଛନ୍ତି । ସେଥିପାଇଁ ଗତ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦରେ ବିଜେପିକୁ ପ୍ରତ୍ୟାଖ୍ୟାନ କଲେ । ଆମେ ଭାବିଥିଲୁ , ଦଳର ଛବି ଖରାପ କରିଥିବାରୁ ଏହି ଦୁଇ ନେତାଙ୍କ ବିରୋଧରେ ଆପଣ କିଛି କାର୍ଯ୍ୟାନୁଷ୍ଠାନ ନେବେ । ମାତ୍ର ଆଜି ଓଲଟା ଦେଖିବାକୁ ମିଳିଲା । ଆପଣ ଓଡ଼ିଶାରେ ପହଞ୍ଚି ଏଭଳି ହିଂସା ପାଇଁ ସେମାନଙ୍କୁ ଉତ୍ସାହିତ କଲା ପରି କଥା କହୁଛନ୍ତି । ଆପଣଙ୍କୁ ମୋର ଅନୁରୋଧ , ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଭଳି ଅପରାଧୀକ ତତ୍ତ୍ଵକୁ ଆପଣ ନିୟନ୍ତ୍ରଣ କରନ୍ତୁ । ନହେଲେ ଭବିଷ୍ୟତରେ ଏ ଦୁଇ ନେତା ଆପଣଙ୍କୁ ଏବଂ ଆପଣଙ୍କ ଦଳକୁ ଆହୁରି ଅଧିକ ବଦନାମ କରିବେ ।

Comments are closed.