ଚାକିରି ବଦଳରେ ଜମି ମାମଲା: ଆଜି ଲାଲୁଙ୍କୁ ଜେରା କରିବ ସିବିଆଇ

ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ମାମଲାରେ ସିବିଆଇ ଆଜି (ମାର୍ଚ୍ଚ ୭) ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କୁ ପଚରାଉଚରା କରିବ। ଲାଲୁ ବର୍ତ୍ତମାନ ଦିଲ୍ଲୀରେ ଅଛନ୍ତି। ନିକଟରେ ତାଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା । ଗତକାଲି ସିବିଆଇ ଲାଲୁ ଯାଦବଙ୍କ ପତ୍ନୀ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀଙ୍କୁ ତାଙ୍କ ବାସଭବନରେ ପ୍ରାୟ ୪ ଘଣ୍ଟା ଧରି ଜେରା କରିଥିଲା।

ରାବଡୀଙ୍କୁ ଜେରା ଓ ଲାଲୁଙ୍କୁ ସିବିଆଇ ସମନ ପରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ ମହାମେଣ୍ଟ ସରକାର ଗଠନ ପରେ ହିଁ ମୁଁ କହିଥିଲି ଯେ ଆମକୁ ଟାର୍ଗେଟ୍ କରାଯିବ। ଯଦି ଆପଣ ବିଜେପି ସହିତ ରୁହ ତେବେ ରାଜା ହରିଶ୍ଚନ୍ଦ୍ର ହୋଇଯିବେ | କିନ୍ତୁ ଆମକୁ କିଛି ଫରକ ପଡୁନି | ବିହାରର ଲୋକମାନେ ସବୁକିଛି ଦେଖୁଛନ୍ତି।

ଯେତେବେଳେ ଲାଲୁ ଯାଦବ ୨୦୦୪-୨୦୦୯ରେ ରେଳମନ୍ତ୍ରୀ ଥିଲେ, ସେତେବେଳେ ରେଳବାଇ ଗ୍ରୁପ୍ ଡି’ ଚାକିରି ପାଇଁ ଲାଲୁ ପରିବାର ଉପହାର ସ୍ୱରୂପ କିମ୍ବା ବହୁତ କମ୍ ମୂଲ୍ୟରେ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଲାଞ୍ଚ ଭାବେ ଜମି ପାଇଥିଲେ। ଲାଲୁଙ୍କ ସହ ତାଙ୍କର ଅନେକ ପରିବାର ସଦସ୍ୟ ମଧ୍ୟ ଏହି ମାମଲାରେ ସମ୍ପୃକ୍ତି ରହିଥବା ଅଭିଯୋଗ ରହିଛି। ଲାଲୁ ଯାଦବ ପ୍ରଥମେ ପ୍ରାର୍ଥୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରୁଥିଲେ। ଜମି ଡିଲ୍ ଶେଷ ହେବା ପରେ ସେମାନଙ୍କୁ ନିୟମିତ କରାଯାଉଥିଲା।

ଅକ୍ଟୋବରରେ ରେଳବାଇ ଚାକିରି ଦୁର୍ନୀତି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଏକ ଚାର୍ଜସିଟ ଦାଖଲ କରିଥିଲା। ମାର୍ଚ୍ଚ ୧୫ରେ ଲାଲୁ ଯାଦବ, ରାବଡୀ ଦେବୀ, ଝିଅ ମିସା ଭାରତୀ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.