ଲଗାତାର ତୃତୀୟ ଥର ଚୀନ୍ ରାଷ୍ଟ୍ରପତି ହେଲେ ଜିନପିଙ୍ଗ

ବେଜିଂ: ସି ଜିନପିଙ୍ଗ ଲଗାତାର ତୃତୀୟ ଥର ପାଇଁ ଚୀନ୍ ରାଷ୍ଟ୍ରପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।

ଚୀନ୍ ସଂସଦ ‘ନ୍ୟାସନାଲ ପିପୁଲ୍ସ କଂଗ୍ରେସ (ଏନପିସି)’ର ୧୪ତମ ଅଧିବେଶନରେ ପ୍ରାୟ ୩୦୦୦ ସଦସ୍ୟ ସର୍ବସମ୍ମତି କ୍ରମେ ସି ଜିନପିଙ୍ଗଙ୍କୁ ଭୋଟ୍ ଦେଇଛନ୍ତି। ଏହି ନିର୍ବାଚନରେ ୬୯ ବର୍ଷୀୟ ଜିନପିଙ୍ଗଙ୍କ ବିରୋଧରେ ​​ଅନ୍ୟ କୌଣସି ପ୍ରାର୍ଥୀ ଛିଡ଼ା ହୋଇନଥିଲେ। ଚୀନ୍‌ର ଏହି ସଂସଦକୁ ରାଷ୍ଟ୍ରପତିଙ୍କ ରବର ଷ୍ଟାମ୍ପ କୁହାଯାଏ।

ମତଦାନ ପ୍ରକ୍ରିୟା ଏକ ଘଣ୍ଟା ଧରି ଚାଲିଥିବା ବେଳେ ଭୋଟ ଗଣତି ୧୫ ମିନିଟରେ ଶେଷ ହୋଇଥିଲା |

ଏହି ନିର୍ବାଚନରେ ଜିନପିଙ୍ଗଙ୍କ ବିଜୟ ନିଶ୍ଚିତ ଥିଲା । କାରଣ ୨୦୧୮ରେ ଚୀନ୍ ସମ୍ବିଧାନରେ ପରିବର୍ତ୍ତନ କରାଯାଇ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସୀମା ହଟାଇ ଦିଆଯାଇଥିଲା। ସେତେବେଳେ ହିଁ ସ୍ପଷ୍ଟ ହୋଇଥିଲା ଯେ ଜିନପିଙ୍ଗ୍ ୨୦୨୩ରେ ତୃତୀୟ ଥର ପାଇଁ କ୍ଷମତାକୁ ଫେରିବେ ।

ସି ଜିନପିଙ୍ଗ ସୋମବାର ବାର୍ଷିକ ସଂସଦ ଅଧିବେଶନକୁ ସମ୍ବୋଧନ କରିବେ। ତିନି ବର୍ଷ ଧରି ଚାଲିଥିବା କଠୋର କୋଭିଡ ନୀତି ଯୋଗୁଁ ଚୀନ୍ ସମ୍ପ୍ରତି ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି।

ଗତ ସପ୍ତାହରେ ସି ଜିନପିଙ୍ଗ ଚୀନ୍‌ର ଆର୍ଥିକ ସଙ୍କଟ ପାଇଁ ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକୁ ଦାୟୀ କରିଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ଜିନପିଙ୍ଗଙ୍କ ବିଜୟ କେବଳ ଏକ ଔପଚାରିକତା ଥିଲା | ପୂର୍ବରୁ ଜିନପିଙ୍ଗ ସର୍ବସମ୍ମତିକ୍ରମେ କେନ୍ଦ୍ରୀୟ ସେନା ଆୟୋଗର ମୁଖ୍ୟ ଭାବେ ମନୋନୀତ ହୋଇଥିଲେ । ସେ ଚୀନ୍ ସଶସ୍ତ୍ର ବାହିନୀର କମାଣ୍ଡର-ଇନ୍-ଚିଫ୍ ଭାବେ ତାଙ୍କର ତୃତୀୟ କାର୍ଯ୍ୟକାଳ ମଧ୍ୟ ଆରମ୍ଭ କରିସାରିଛନ୍ତି।

Comments are closed.