ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦେଶରେ ପ୍ରଥମ, ରାଜ୍ୟ ସରକାରଙ୍କ ଅଭିନବ ପ୍ରୟାସ: ପ୍ରଦୀପ ମାଝୀ

ଫୁଲବାଣୀ: ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆମ ଦେଶରେ ପ୍ରଥମ ଏଭଳି ସଂସ୍ଥା ଯାହା ଓଡ଼ିଶା ରାଜ୍ୟ ସରକାରଙ୍କ ଏକ ଅଭିନବ ପ୍ରୟାସ। କେବଳ ବିଲୁପ୍ତ ହୋଇଯାଇଥିବା ଆଦିବାସୀ କଳା, ସଂସ୍କୃତି, ପରମ୍ପରା, ଜାନିଯାତ୍ରା, ପୂଜା ପୀଠର ପୁନରୁଦ୍ଧାର କରିଦେଲେ ଆଦିବାସୀ ସମାଜର ଉନ୍ନତି ହୋଇଯିବ ନାହିଁ। ବରଂ ସେମାନଙ୍କ ଜୀବନ ଜୀବିକାର ଉନ୍ନତି ହେବା ଆବଶ୍ୟକ। ଆମ ରାଜ୍ୟର ମୋଟ ୬୨ ବର୍ଗର ଆଦିବାସୀ ଭାଇଭଉଣୀଙ୍କୁଏକାଠି କରିବା, ସମସ୍ତଙ୍କର ସମସ୍ୟା ବିଷୟରେ ଅବଗତ ହେବା ସାଙ୍ଗକୁ ସମାଧାନ ବ୍ୟବସ୍ଥା କରିବା, ଯୁବ ଗୋଷ୍ଠୀଙ୍କୁ କୁସଂସ୍କାରରୁ ଦୂରେଇ ରଖିବା, ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ତାଲିମ, ରାଜ୍ୟ ଓ ରାଜ୍ୟ ବାହାରେ ତଥା ବିଦେଶରେ ଉଚ୍ଚଶିକ୍ଷା ପାଇଁ ମାଗଣା କୋଚିଂର ବ୍ୟବସ୍ଥା କରିବା, ରାଜ୍ୟର ସମସ୍ତ ଅନୁସୂଚିତ ଜନଜାତି ବର୍ଗଙ୍କୁ ବାସଗୃହ ଯୋଗାଇଦେବା, ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦନ ପାଇଁ ୩୫ ଲକ୍ଷ ଟଙ୍କା ଅନୁଦାନରେ ଗୃହ ନିର୍ମାଣ, ଡିଜିଟାଲ୍ ପ୍ଲାଟଫର୍ମ ବା ଇ-କମର୍ସ ମାଧ୍ୟମରେ ନିଜର ଉତ୍ପାଦନକୁ ବିକ୍ରୟ କରିବା ସକାଶେ ସୁଯୋଗ ସୃଷ୍ଟି କରିବା ହେଉଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ମୁଖ୍ୟ କାର୍ଯ୍ୟ। ଏଥିପାଇଁ ମୁଖ୍ୟମନ୍ତ୍ରୀ ୨୬୭ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ସଠିକ୍ ଭାବେ ଖର୍ଚ୍ଚ କଲେ ଆଗକୁ ୪୦୦ରୁ ୫୦୦ କୋଟି ଟଙ୍କା ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ଦିଆଯିବ। କନ୍ଧମାଳ ଜିଲ୍ଲା ଗସ୍ତ ଅବସରରେ ଶୁକ୍ରବାର ଗଣମାଧ୍ୟମ ଆଗରେ ଏହି ତଥ୍ୟ ରଖିଛନ୍ତି ସ୍ବତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ଉପଦେଷ୍ଟା ପ୍ରଦୀପ ମାଝୀ।

ସେ କହିଛନ୍ତି ଯେ ଆଦିବାସୀ କଳା ସଂସ୍କୃତିର ସୁରକ୍ଷା ଓ ଉନ୍ନତି ଏହାର ଲକ୍ଷ୍ୟ। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଦୀପ ମାଝୀ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂତନ ମନୋନୀତ ସଭ୍ୟ ସଭ୍ୟାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍ଥାନୀୟ କରୋନେସନ୍ ପଡ଼ିଆ ଠାରେ ହୋଇଥିବା ସଭାରେ ସେ ସଭ୍ୟ ଓ ସଭ୍ୟାମାନେ ଜାଗ୍ରତ ପ୍ରହରୀ ଭାବେ ଆଦିବାସୀ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଆଶାବ୍ୟକ୍ତ କହିଛନ୍ତି। ଆଦିବାସୀ ସମାଜର ସବୁ ଭାଇଭଉଣୀଙ୍କୁ ଏଥିରେ ସାମିଲ କରାଯିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ କନ୍ଧମାଳ ଏସଡିସି ଅଧ୍ୟକ୍ଷ ରଦନ ମଲ୍ଲିକ, ଉପାଧ୍ୟକ୍ଷା ନଳିନୀ କହଁର, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Comments are closed.