ତୃତୀୟ ଥର ଚୀନ୍ ରାଷ୍ଟ୍ରପତି ହେବା ନେଇ ଜିନପିଙ୍ଗଙ୍କୁ ଅଭିନନ୍ଦନ ଜଣାଇଲେ କେରଳ ମୁଖ୍ୟମନ୍ତ୍ରୀ, କହିଲେ ‘ଚୀନ୍ ଆହୁରି ସମୃଦ୍ଧ ହେଉ’

ନୂଆଦିଲ୍ଲୀ: ଚୀନ୍ ରାଷ୍ଟ୍ରପତି ଭାବେ ଲଗାତାର ତୃତୀୟ ଥର ନିର୍ବାଚିତ ହୋଇଥିବା ସି ଜିନପିଙ୍ଗଙ୍କୁ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଅଭିନନ୍ଦନ ଜଣାଇଛନ୍ତି। ଜିନପିଙ୍ଗଙ୍କୁ ଅଭିନନ୍ଦନ ଜଣାଇବା ସହ ବିଜୟନ ଚୀନ୍ ଆହୁରି ସମୃଦ୍ଧ ହେଉ ବୋଲି କାମନା ବି କରିଛନ୍ତି ।

ବିଜୟନ୍ ରବିବାର (ମାର୍ଚ୍ଚ ୧୨) ଟ୍ୱିଟ୍ କରି କହିଛନ୍ତି ଯେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବୈପ୍ଲବିକ ଅଭିନନ୍ଦନ। ବାସ୍ତବରେ ପ୍ରଶଂସନୀୟ ଯେ ଚୀନ୍ ବିଶ୍ୱ ରାଜନୀତିରେ ଏକ ପ୍ରମୁଖ ସ୍ୱର ଭାବେ ଉଭା ହୋଇଛି। ଚୀନକୁ ଅଧିକ ସମୃଦ୍ଧ କରିବା ପାଇଁ ଆପଣଙ୍କ ନିରନ୍ତର ପ୍ରୟାସ ପାଇଁ ଶୁଭେଚ୍ଛା |

କେରଳ ମୁଖ୍ୟମନ୍ତ୍ରୀ ବିଜୟନ ଶତ୍ରୁ ଦେଶ ଚୀନର ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ନେଇ ବିବାଦ ମଧ୍ୟ ଉପୁଜିଛି । ଏଥିପାଇଁ ବିଜୟନଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଭି.ମୁରଲୀଧରନ୍ । ସେ କହିଛନ୍ତି, ସିପିଏମ୍ ଭାରତ ଅପେକ୍ଷା ଚୀନକୁ ସର୍ବଦା ନିଜର ବୋଲି ଭାବେ । କେରଳ ମୁଖ୍ୟମନ୍ତ୍ରୀଙ୍କୁ ଭର୍ତ୍ସନ କରି ସେ କହିଛନ୍ତି ଯେ ଚୀନ୍ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ଅପେକ୍ଷା ସେ ଭାରତର ଲୋକଙ୍କ ବିଷୟରେ ଚିନ୍ତା କରିବା ଉଚିତ୍।

ଉଲ୍ଲେଖଯୋଗ୍ୟ ଯେ ଶୁକ୍ରବାର (ମାର୍ଚ୍ଚ ୧୦) ଚୀନ୍ ସଂସଦ ‘ନ୍ୟାସନାଲ ପିପୁଲ୍ସ କଂଗ୍ରେସ’ (ଏନପିସି)’ ୬୯ ବର୍ଷୀୟ ସି ଜିନପିଙ୍ଗଙ୍କୁ ସର୍ବସମ୍ମତି କ୍ରମେ ରାଷ୍ଟ୍ରପତି ନିର୍ବାଚିତ କରିଥିଲା। ସେ ଲଗାତାର ତୃତୀୟ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ। ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ୍ ଚୀନ୍ (ସିପିସି) ଗତ ବର୍ଷ ଅକ୍ଟୋବରରେ ଏହାର କଂଗ୍ରେସ (ବୈଠକ)ରେ ସି ଜିନପିଙ୍ଗଙ୍କୁ ସିପିସିର ନେତା ଭାବେ ମନୋନୀତ କରିଥିଲା। ଦଳ ଏହାର ନେତା ବାଛିବା ପାଇଁ ପ୍ରତି ପାଞ୍ଚ ବର୍ଷରେ ଏକ କଂଗ୍ରେସ ଆୟୋଜନ କରିଥାଏ। ଦଳ ମୁଖ୍ୟ ଭାବେ ତୃତୀୟ ପାଞ୍ଚ ବର୍ଷର କାର୍ଯ୍ୟକାଳ ପାଇଁ ନିର୍ବାଚିତ ହେବା ପରେ ସି ଜିନପିଙ୍ଗ ସିପିସି ପ୍ରତିଷ୍ଠାତା ମାଓ ଜେଡୋଙ୍ଗଙ୍କ ପରେ ପ୍ରଥମ ନେତା ହୋଇଥିଲେ। ରିପୋର୍ଟ ଅନୁଯାୟୀ ସି ଜିନପିଙ୍ଗ ଆଜୀବନ ଚୀନ୍‌ର ରାଷ୍ଟ୍ରପତି ରହିବା ସମ୍ଭାବନା ରହିଛି।

Comments are closed.