ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ, କହିଲେ ‘ଦିଲ୍ଲୀ ବଜେଟ୍ ଉପରେ ରୋକ୍ ଲଗାନ୍ତୁ ନାହିଁ’

ନୂଆଦିଲ୍ଲୀ: ଦିଲ୍ଲୀ ବଜେଟକୁ ନେଇ କେନ୍ଦ୍ର ସହ ମୁହାଁମୁହିଁ ସ୍ଥିତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି। ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଲ୍ଲୀର ବଜେଟ୍ ମଞ୍ଜୁର କରିବାକୁ ଅନୁରୋଧ କରିଛନ୍ତି ।

କେଜ୍ରିୱାଲ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି, “ଦେଶର ୭୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ ଏକ ରାଜ୍ୟର ବଜେଟ ରୋକାଯାଇଛି। ଆପଣ ଦିଲ୍ଲୀର ଲୋକଙ୍କ ଉପରେ କାହିଁକି ରାଗିଛନ୍ତି?”

ଏହା ପୂର୍ବରୁ ଦିଲ୍ଲୀର ଅର୍ଥମନ୍ତ୍ରୀ କୈଳାଶ ଗେହଲୋଟ୍
ଦାବି କରିଥିଲେ ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦିଲ୍ଲୀର ବଜେଟ୍ ଉପସ୍ଥାପନ ଉପରେ ରୋକ୍ ଲଗାଇ ଦେଇଛି ।

ସେ କହିଥିଲେ, ରହସ୍ୟଜନକ କାରଣରୁ ଗୃହ ମନ୍ତ୍ରଣାଳୟ ବଜେଟ୍ ବନ୍ଦ କରିଦେଇଛି। ଦିଲ୍ଲୀର ମୁଖ୍ୟ ସଚିବଙ୍କୁ ମାର୍ଚ୍ଚ ୧୭ରେ ହିଁ କେନ୍ଦ୍ରର ଚିଠି ମିଳିଥିଲେ ମଧ୍ୟ ସେ ଏହାକୁ ତିନି ଦିନ ପର୍ଯ୍ୟନ୍ତ ଲୁଚାଇ ରଖିଥିଲେ। ମାର୍ଚ୍ଚ ୨୦ରେ ବଜେଟ୍ ସହ ଜଡିତ କେନ୍ଦ୍ରର ଆପତ୍ତି ସମ୍ପର୍କରେ ଦିଲ୍ଲୀର ଅର୍ଥମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା।

ଅନ୍ୟପକ୍ଷରେ ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ ବଜେଟ୍ ବନ୍ଦ କରିବା ଦିଲ୍ଲୀ ସରକାରଙ୍କ ବିରୋଧରେ କେନ୍ଦ୍ରର ଷଡ଼ଯନ୍ତ୍ର।

ଏହାକୁ ଲଜ୍ଜାଜନକ ଦର୍ଶାଇ ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ତଥା ଅର୍ଥ ସଚିବ ତିନି ଦିନ ପରେ ବଜେଟରେ କେନ୍ଦ୍ରର ଆପତ୍ତି ସମ୍ପର୍କରେ ଦିଲ୍ଲୀ ସରକାରଙ୍କୁ ଜଣାଇଥିଲେ ।

Comments are closed.