ଚାରି ଦିନର ନବଜାତ ଶିଶୁକୁ ଚକୁଡି ମାରିଲା ପୋଲିସ

ଗିରିଡିହ (ଝାଡଖଣ୍ଡ): ପୋଲିସ ବୁଟ୍ ତଳେ ଚାରି ଦିନର ଶିଶୁର ଜୀବନ ଗଲା । ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାରେ ଘଟିଛି ଏପରି ଛାତିଥରା ଘଟଣା । ଏକ ମାମଲାରେ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଜିଲ୍ଲାର କୋସୋଗୋଣ୍ଡୋଡିଗି ଗ୍ରାମର ଏକ ଘରକୁ ଯାଇଥିବା ପୋଲିସ ଭିତରେ ଶୋଇଥିବା ଏକ ନବଜାତ ଶିଶୁ ଉପରେ ପାଦ ପକେଇ ଦେଇଥିଲା। ଫଳରେ ଶିଶୁଟିର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ୬ ପୋଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କୁ ନିଲମ୍ବିତ କରାଯାଇଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଅଭିଯୁକ୍ତ ଭୂଷଣ ପାଣ୍ଡେଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହେବା ପରେ ଦେଓରି ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ସଙ୍ଗମ ପାଠକଙ୍କ ନେତୃତ୍ୱରେ ଏକ ଟିମ୍ ତାଙ୍କ ଘରକୁ ଯାଇଥିଲେ। ପୋଲିସକୁ ଦେଖି ଭୂଷଣର ସବୁ ପରିବାର ଲୋକ ନବଜାତ ଶିଶୁକୁ ଘରେ ଛାଡ଼ି ପଳାଇ ଯାଇଥିଲେ।

ମୃତକଙ୍କ ମା ନେହା ଦେବୀ କହିଛନ୍ତି ଯେ ପୋଲିସ୍ ଯେତେବେଳେ ତାଙ୍କ ଘରେ ଖୋଜାଖୋଜି କରୁଥିଲା ସେତେବେଳେ ତାଙ୍କର ଚାରି ଦିନର ପିଲା ଭିତରେ ଶୋଇଥିଲା। ପୋଲିସ ଟିମ୍ ଚାଲିଯିବା ପରେ ସେ ଘରକୁ ଫେରି ଦେଖିଥିଲେ ଯେ ତାଙ୍କ ପିଲାର ମୃତ୍ୟୁ ହୋଇଛି ।

ପୋଲିସ ଚକୁଡି ଦେବାରୁ ନବଜାତ ଶିଶୁର ମୃତ୍ୟୁ ହୋଇଛି ବୋଲି ନେହା ଦେବୀ ଓ ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଘଟଣା ସମ୍ପର୍କରେ ଅବଗତ ହେବାପରେ ଡିଏସପି ସଞ୍ଜୟ ରାଣା କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି ଓ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆଧାରରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଝାଡଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କହିଛନ୍ତି, “ଏଭଳି ଘଟଣାକୁ ସମାଲୋଚନା କରାଯିବା ଉଚିତ ଏବଂ ଏଥିପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.