ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆକୁ ଏସୀୟ ହକି ମହାସଂଘ ପୁରସ୍କାର

ଭୁବନେଶ୍ୱର – ପୁରୁଷ ବିଶ୍ଵକପ ହକି ଓ ଅନ୍ୟ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ସଫଳତାର ସହ ଆୟୋଜନ କରିଥିବାରୁ ହକି ଇଣ୍ଡିଆକୁ ମିଳିଛି ସ୍ୱୀକୃତି। ଏସିଆର ଶ୍ରେଷ୍ଠ ଆୟୋଜକ ଭାବେ ହକି ଇଣ୍ଡିଆକୁ ପୁରସ୍କୃତ ହୋଇଛି । ଏସୀୟ ହକି ମହାସଂଘ ପକ୍ଷରୁ ମିଳିଛି ଏହି ସମ୍ମାନ ଜନକ ପୁରସ୍କାର। ଦକ୍ଷିଣ କୋରିଆର ମୁଙ୍ଗେୟଙ୍ଗରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ସଂପାଦକ ଜେନେରାଲ ଭୋଳାନାଥ ସିଂହ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏ ବର୍ଷ ଜାନୁଆରୀରେ ଭୁବନେଶ୍ୱର ଓ ରାଉରକେଲାରେ ବିଶ୍ବର ୧୬ଟି ଟିମକୁ ନେଇ ହକି ବିଶ୍ୱକପ ଆୟୋଜିତ ହୋଇଥିବା ବେଳେ ନିକଟରେ ଏଫଆଇଏଚ ପ୍ରୋ ଲିଗ୍ ହକି ରାଉରକେଲାରେ ଆୟୋଜିତ ହୋଇଥିଲା। ହକି ମହାକୁମ୍ଭ ପାଇଁ ଭୁବନେଶ୍ବର ଓ ରାଉରକେଲାରେ ବିଶ୍ବସ୍ତରୀୟ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା । ପୂର୍ବରୁ ୨୦୧୮ରେ କଳିଙ୍ଗ ଷ୍ଟାଡିୟମରେ ସଫଳତାର ସହିତ ହକି ବିଶ୍ବକପ ଆୟୋଜନ ହୋଇଥିଲା । ଏ ବର୍ଷ ରାଉରକେଲାରେ ପ୍ରଥମଥର ପାଇଁ ବିଶ୍ବକପ ଆୟୋଜନ ହୋଇଥିଲାବେଳେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ମଧ୍ୟ ମ୍ୟାଚ୍ ଖେଳାଯାଇଥିଲା।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଅଲିମ୍ପିକ୍ସ ସ୍ତରୀୟ ଭିତ୍ତିଭୂମି ରହିଛି । ବିଶ୍ବକପ ଭାରତ ଆୟୋଜନ କରିଥିବାବେଳେ ଓଡ଼ିଶା ସରକାରଙ୍କ ତରଫରୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଥିଲା । ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ପାଇଁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏସିଆନ୍ ହକି ଫେଡେରେସନ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Comments are closed.