ମହାନଦୀ ବିବାଦ: ଟ୍ରିବ୍ୟୁନାଲର କ୍ଷେତ୍ର ପରିଦର୍ଶନ ୧୭ରୁ 

ସମ୍ବଲପୁର : ମହାନଦୀ ଜଳ ବିବାଦର ସମାଧାନ ପାଇଁ ଉଦ୍ଧିଷ୍ଟ ଟ୍ରିବ୍ୟୁନାଲ ଆସନ୍ତା ଅପ୍ରେଲ ୧୭ ତାରିଖରୁ କ୍ଷେତ୍ର ପରିଦର୍ଶନରେ ବାହାରିବେ। ପ୍ରଥମ ଦୁଇଟି ପର୍ଯ୍ୟାୟରେ ଛତିଶଗଡରେ ମହାନଦୀର ଉପର ଅବବାହିକା ଅନୁଧ୍ୟାନ କରାଯିବ। ଆଉ ତୃତୀୟ ପର୍ଯ୍ୟାୟରେ ଓଡିଶା ସୀମାରେ ଅନୁଧ୍ୟାନ କରାଯିବ ବୋଲି ଆଜି ଅନୁଷ୍ଠିତ ଶୁଣାଣିରେ ଘୋଷଣା କରାଯାଇଛି।

ମହାନଦୀ ଟ୍ରିବୁୟନାଲର ଅବଧି ଗତ ୧୨ ତାରିଖରେ ସରିବା ପରେ କେନ୍ଦ୍ର ସରକାର ୩ ଦିନ ତଳେ ପୁଣି ୨୧ ମାସ ପାଇଁ ବୃଦ୍ଧି କରିଛନ୍ତି। ଆଉ ଅବଧି ବଢିବା ପରେ ଆଜି ପ୍ରଥମ କରି ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବରୁ କ୍ଷେତ୍ର ପରିଦର୍ଶନ ପାଇଁ ହୋଇଥିବା ଘୋଷଣାରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଚଳିତ ମାସ ୧୫ ତାରିଖରୁ କ୍ଷେତ୍ର ପରିଦର୍ଶନ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା। ହେଲେ ସେହି ସମୟରେ ଟ୍ରିବୁୟନାଲର ଅବଧି ଶେଷ ହୋଇଯାଇଥିବାରୁ ତାହା ସମ୍ଭବ ହୋଇନଥିଲା। ଫଳରେ ଆସନ୍ତା ଅପ୍ରେଲ ୧୭ତାରିଖରୁ କ୍ଷେତ୍ର ପରିଦର୍ଶନ ପାଇଁ ଦିନ ଧାର୍ଯ୍ୟ ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଖଣ୍ଡପୀଠ ୧୭ ଏପ୍ରିଲରୁ ୨୧ ଏପ୍ରିଲ ପର୍ଯ୍ୟନ୍ତ ଛତିଶଗଡର ମହାନଦୀ ଉପରଭାଗର ଅବବାହିକା ଅଞ୍ଚଳ ଅନୁଧ୍ୟାନ କରିବେ। ଛତିଶଗଡର ଦ୍ବିତୀୟ ପର୍ଯ୍ୟାୟ ଗସ୍ତ ୨୯ ଏପ୍ରିଲରୁ ୩ ମେ ପର୍ଯ୍ୟନ୍ତ ମହାନଦୀର ତଳଭାଗ ଅବବାହିକା ଅଞ୍ଚଳରେ ହେବ ବୋଲି ସ୍ଥିର କରାଯାଇଛି। ଏହି ଗସ୍ତ ସକାଶେ ସମସ୍ତ ବିବରଣୀ ପ୍ରଦାନ କରିବା ପାଇଁ ଛତିଶଗଡ ସରକାରକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ତେବେ, ଓଡିଶା ଗସ୍ତ ନେଇ ଏପର୍ଯ୍ୟନ୍ତ ତାରିଖ ଧାର୍ଯ୍ୟ କରାଯାଇନାହିଁ। ଛତିଶଗଡ ଗସ୍ତ ଶେଷ ହେବାପରେ ଏ ନେଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ଆଉ ଗସ୍ତ ନେଇ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଉଭୟ ରାଜ୍ୟ ଟ୍ରିବ୍ୟୁନାଲଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହାବାଦ୍ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ମେ ୧୭ରେ ଛତିଶଗଡରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି। କ୍ଷେତ୍ର ପରିଦର୍ଶନରେ ଟ୍ରିବୁୟନାଲର ଅଧ୍ୟକ୍ଷ ଏ.ଏମ ଖାନବିଲକରଙ୍କ ନେତୃତ୍ବରେ ୩ଜଣିଆ ଖଣ୍ଡପୀଠ ସମେତ ବୈଷୟିକ ଦଳ ଏବଂ ଉଭୟ ରାଜ୍ୟର ଓକିଲ ମାନେ ସାମିଲ ହେବେ। ତେବେ, ବର୍ତ୍ତମାନ ମହାନଦୀ ସଂପୂର୍ଣ ସୁଖିଲା ପଡିଥିବା ବେଳେ ଟ୍ରିବୁୟନାଲ ଗସ୍ତ ବେଳେ ଛତିଶଗଡର ମନମୁଖୀ କାମ ପଦାରେ ପଡିବ ବୋଲି ଆଶା କରାଯାଉଛି।

Comments are closed.