ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ନିର୍ବାଚନ ଆୟୋଗ ପୂର୍ବାହ୍ନ ୧୧:୩୦ରେ ଏକ ସାମ୍ବାଦିକ ସମ୍ମିଳନୀ କରି ନିର୍ବାଚନ ତାରିଖ ଘୋଷଣା କରିବେ।

୨୨୪ ସଦସ୍ୟ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାର କାର୍ଯ୍ୟକାଳ ମେ ୨୪ରେ ଶେଷ ହେବାକୁ ଯାଉଛି। ୨୦୧୮ ବିଧାନସଭା ନିର୍ବାଚନରେ ​​ବିଜେପି ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ୧୦୪ଟି ଆସନ ଜିତିଥିଲା । କଂଗ୍ରେସକୁ ୮୦ଟି ସିଟ୍ ମିଳିଥିବା ବେଳେ ଜେଡିଏସ୍ ୩୭ଟି ସିଟ୍ ଜିତିଥିଲା ।

୨୦୧୮ ବିଧାନସଭା ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିନଥିଲା । କିନ୍ତୁ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ବରେ ବିଜେପି ସରକାର ଗଢ଼ିବା‌‌ ପାଇଁ ଦାବି କରିଥିଲା । ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତେବେ ବହୁମତ ପ୍ରମାଣ କରିବାରେ ବିଫଳ ହୋଇଥିବାରୁ ଦିନକ ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା। ଏହାପରେ କଂଗ୍ରେସ ଓ ଜେଡିଏସ୍ ମିଳିତ ଭାବେ ସରକାର ଗଠନ କରିଥିଲେ । ଜେଡିଏସ୍ ନେତା କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହୋଇଥିଲେ। କଂଗ୍ରେସ-ଜେଡିଏସର ସରକାର ପ୍ରାୟ ୧୪ ମାସ ପରେ ଭାଙ୍ଗିଯାଇଥିଲା । ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସମର୍ଥନରେ ବିଏସ୍ ୟେଦୁରପ୍ପାଙ୍କ ନେତୃତ୍ବରେ‌ ପୁଣି ବିଜେପି ସରକାର ଗଢିଥିଲା । ତେବେ ୨୦୨୧ରେ ବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ବଦଳାଇଥିଲା । ୟେଦୁରପ୍ପାଙ୍କୁ ହଟାଇ ବାସବରାଜ ବୋମ୍ମାଇଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା ।

Comments are closed.