କେଜ୍ରିୱାଲ ପୁଣି ମାଗିଲେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ସମ୍ପର୍କିତ ତଥ୍ୟ, କହିଲେ ଗୁଜରାଟ ହାଇକୋର୍ଟ ରାୟରେ ପୂରା ଦେଶ ସ୍ତବ୍ଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଡିଗ୍ରୀ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେଇଥିଲେ । କୋର୍ଟ ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଥିଲେ । ହାଇକୋର୍ଟ ରାୟର ଦିନକ ପରେ କେଜ୍ରିୱାଲ ପୁଣି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ଓ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । କେଜ୍ରିୱାଲ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ନେଇ ହାଇକୋର୍ଟଙ୍କ ରାୟରେ ପୂରା ଦେଶ ସ୍ତବ୍ଧ । କୋର୍ଟଙ୍କ ରାୟ ପରେ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ନକଲି ବୋଲି ସନ୍ଦେହ ବଢ଼ିଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ସମ୍ପର୍କରେ ପୁଣି ତଥ୍ୟ ମାଗିଛନ୍ତି କେଜ୍ରିୱାଲ । ଅର୍ଦ୍ଧ ଶିକ୍ଷିତ କିମ୍ବା ଅଶିକ୍ଷିତ ହେବା ଅପରାଧ କିମ୍ବା ପାପ ନୁହେଁ । ମୁଁ କାହିଁକି ଏହି ସୂଚନା ମାଗିଥିଲି? ସ୍ବାଧୀନତାର ୭୫ ବର୍ଷ ପରେ ଦେଶ ଯେତିକି ଅଗ୍ରଗତି କରିବା ସେତିକି କରିନାହିଁ। ଏକବିଂଶ ଶତାବ୍ଦୀର ଯୁବପିଢି ଦ୍ରୁତ ଅଗ୍ରଗତି ଚାହୁଁଛନ୍ତି | ଏଭଳି ସ୍ଥିତିରେ ଦେଶର ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଆବଶ୍ୟକ । କିନ୍ତୁ ଯେଉଁ ପ୍ରଧାନମନ୍ତ୍ରୀ ନାଳରୁ ନିର୍ଗତ ଗ୍ୟାସରେ ଚା’ ପ୍ରସ୍ତୁତ କରାଯାଇପାରିବ ବୋଲି କହୁଛନ୍ତି ତାଙ୍କ ଶିକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ଵାଭାବିକ।

ଗତକାଲି ଗୁଜରାଟ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ଆବଶ୍ୟକ ନାହିଁ। କୋର୍ଟଙ୍କ ଏପରି ରାୟରେ ପୂରା ଦେଶ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛି। କେହି ଜଣେ ଶିକ୍ଷିତ କିମ୍ବା ଅଶିକ୍ଷିତ ହେବା ଅପରାଧ ନୁହେଁ। ଆମ ଦେଶରେ ଦାରିଦ୍ର୍ୟ ରହିଛି ।‌ ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଲୋକମାନେ ପାଠ ପଢିପାରୁ ନାହାଁନ୍ତି | ଦେଶ ସ୍ୱାଧୀନ ହେବାର ୭୫ ବର୍ଷ ବିତିଗଲାଣି । ଆଜି ଲୋକମାନେ ଦ୍ରୁତ ଅଗ୍ରଗତି ଚାହୁଁଛନ୍ତି | ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଶିକ୍ଷିତ ହେବା ଜରୁରୀ । ପ୍ରତିଦିନ ଆମେ ପ୍ରଧାନମନ୍ତ୍ରୀଙ୍କ ବୟାନ ଦେଖୁ ଯାହା ଦେଶକୁ ବିଚଳିତ କରୁଛି। ତାଙ୍କ ବୟାନରେ ପ୍ରଧାନମନ୍ତ୍ରୀ କହୁଛନ୍ତି ଯେ ନାଳରୁ ନିର୍ଗତ ଗ୍ୟାସରୁ ଚା’ ତିଆରି କରାଯାଇପାରିବ, ମେଘ ପଛରେ ଥିବା ବିମାନକୁ ରାଡାର ଧରିପାରିବ ନାହିଁ …। ଜଣେ ଶିକ୍ଷିତ ବ୍ୟକ୍ତି ଏପରି କଥା କେବେ କହିବେନି | ଲାଗୁଛି ବିଜ୍ଞାନ ବିଷୟରେ ତାଙ୍କ ଜ୍ଞାନ ବହୁତ କମ୍ |

ହାଇକୋର୍ଟଙ୍କ ରାୟ ପରେ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅଧିକ ସନ୍ଦେହ ସୃଷ୍ଟି କରିଛି। ଯଦି ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ଅଛି ଏବଂ ଏହା ଅସଲି, ତେବେ ଏହାକୁ କାହିଁକି ଦେଖାଯାଉ ନାହିଁ । କିଛି ଦିନ ତଳେ ଅମିତ ଶାହା ଏକ ଡିଗ୍ରୀ ଦେଖାଇଥିଲେ | ହୁଏତ ସେମାନେ ଅହଂକାର ବଶତଃ ଏହା ଦେଖାଉ ନାହାଁନ୍ତି | ଲୋକଙ୍କ ମନରେ ଦ୍ୱିତୀୟ ପ୍ରଶ୍ନ ହେଉଛି ଡିଗ୍ରୀ ନକଲି ମଧ୍ୟ ହୋଇପାରେ | ଯଦି ପ୍ରଧାନମନ୍ତ୍ରୀ ଦିଲ୍ଲୀ କିମ୍ବା ଗୁଜରାଟ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି, ତେବେ ଏହାକୁ ସେଲିବ୍ରେଟ୍ କରାଯିବା ଉଚିତ୍ ବୋଲି କେଜ୍ରିୱାଲ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରୀ ସମ୍ପର୍କିତ ସୂଚନା ଦେବାକୁ କେନ୍ଦ୍ରୀୟ ସୂଚନା କମିଶନ‌(ସିଆଇସି) ୭ ବର୍ଷ ତଳେ ଗୁଜରାଟ ବିଶ୍ଵବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଶୁକ୍ରବାର (ମାର୍ଚ୍ଚ ୩୧) ଗୁଜରାଟ ହାଇକୋର୍ଟ ସିଆଇସିଙ୍କ ଆଦେଶକୁ ରଦ୍ଦ କରିଦେଇଥିଲେ ।

Comments are closed.