ପୁଅର ଚଡେଇମରା ବନ୍ଧୁକରେ ବାପା ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଳକ ସୀମାନ୍ତ ଅଞ୍ଚଳ କଦଳୀମୁଣ୍ଡା ଚିନାଯୁରୀ କେନାଲ ଛକରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅର ଚଡ଼େଇମରା ବନ୍ଧୁକରେ ବାପା ଗୁରୁତର । ଗୁରୁତର ଅବସ୍ଥାରେ ବାପାଙ୍କୁ ବୁର୍ଲା ଡାକ୍ତରଖାନା ପଠାଯାଇଛି ।

ସୂଚନା ମତେ ବିକ୍ରମ ମେହେର (୨୭) ଓ ନିଜ ପତ୍ନୀ ଚଡେଇମରା ବନ୍ଧୁକ ଧରି ଥଟ୍ଟାମଜା ଖେଳଖେଳୁଥିଲେ । ଏହି ସମୟରେ ହୋହାଲ୍ଳାକୁ ନେଇ ବାପା ଗଙ୍ଗାଜଳ ମେହେର (୫୭) ହସ୍ତକ୍ଷେପ କରି ଦୁହି ଜଣଙ୍କୁ ବୁଝାଇବାକୁ ଚେଷ୍ଟା କରିବା ସହ ବନ୍ଧୁକ ଛଡ଼େଇବାକୁ ଚେଷ୍ଟା କରୁଥିବା ବେଳେ ହଠାତ ଗଙ୍ଗାଜଳଙ୍କ ଅଣ୍ଟାର ପଛପାଖରେ ଗୁଳି ଲାଗିଥିଲା। ଗୁଳି ଫୁଟିବା ପରେ ବିକ୍ରମ ଘଟଣାସ୍ଥଳରୁ ଅନ୍ଯତ୍ର ଫେରାର ମାରି ଦେଇଥିଲା। ପରେ ପାଖପଡୋଶୀଙ୍କ ସହାୟତାରେ ଗୁରୁତର ଗଙ୍ଗାଜଳଙ୍କୁ ପ୍ରଥମେ ନିକଟସ୍ଥ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ପ୍ରାଥମିକ ଚିକିତ୍ସା କଲାପରେ ଅଣ୍ଟାରେ ଲାଗିଥିବା ଗୁଳି ଅସ୍ତ୍ରୋପଚାର ପାଇଁ ତୁରନ୍ତ ବୁର୍ଲା ଡାକ୍ତରଖାନାକୁ ରେଫର୍ କରିଥିଲେ। ବରପାଲି ପୋଲିସ ଖବରପାଇ ଘଟଣାସ୍ଥଳରେ ପହଂଚି ଆଖପାଖ ଲୋକଙ୍କୁ ପଚରାଉଚରା କରିଥିଲା । ପୋଲିସର ଅନୁସନ୍ଧାନ ବେଳେ ବ୍ଯବହାରରେ ଆସିଥିବା ବନ୍ଧୁକ ଜବତ କରିଥିବା ବେଳେ ଫେରାର ରବିବାର ପୂର୍ବାହ୍ନରେ ବିକ୍ରମକୁ ଅନୁଗୁଲ ଅଂଚଳରେ ଠାବ କରିଥିବା ଜଣାପଡିଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ଘଟଣା ସମ୍ବନ୍ଧିତ କୌଣସି ପ୍ରକାର ଅଭିଯୋଗ ପୋଲିସକୁ ମିଳିନଥିବା ଜଣାପଡ଼ିଛି ।

Comments are closed.