ମନି ଲଣ୍ଡରିଂ ମାମଲା: ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଦିଲ୍ଲୀ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଜୈନଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ନାମଞ୍ଜୁର କରି କୋର୍ଟ କହିଥିଲେ ଯେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଓ ପ୍ରମାଣ ନଷ୍ଟ କରିପାରନ୍ତି ।

କିଛି ମାସ ତଳେ ସତ୍ୟେନ୍ଦ୍ର ଜୈନ ଜାମିନ ପାଇଁ ସୁପ୍ରିମକୋର୍ଟ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କୁ କୌଣସି ଆଶ୍ବସ୍ତି ମିଳି ନଥିଲା। ଦିଲ୍ଲୀ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ଉପରେ ଶୀଘ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦେବାକୁ ଜୈନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଥିଲେ । ଫଳରେ ଜୈନଙ୍କୁ ତାଙ୍କ ଆବେଦନ ପ୍ରତ୍ୟାହାର କରିବାକୁ ପଡିଥିଲା।

ଆୟ ବହିର୍ଭୁତ ସମ୍ପତ୍ତି ଏବଂ ମନି ଲଣ୍ଡରିଂ ମାମଲାରେ ଅଭିଯୋଗରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗତବର୍ଷ ମେ ୩୦ରେ ଗିରଫ କରିଥିଲା। ସେ ସମ୍ପ୍ରତି ତିହାର ଜେଲରେ ଅଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଏବଂ ମନି ଲଣ୍ଡରିଂ ମାମଲାରେ ଜୈନ, ତାଙ୍କ ପତ୍ନୀ ପୁନମ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଜୈନ ଦିଲ୍ଲୀରେ ଅନେକ ସେଲ କମ୍ପାନୀ ତିଆରି ଓ କିଣିଛନ୍ତି ବୋଲି ଅଭିଯୋଗ ହୋଇଥିଲା ।

ସେ କୋଲକାତାର ତିନୋଟି ହାୱାଲା ଅପରେଟରଙ୍କ ଠାରୁ ୫୪ଟି ସେଲ କମ୍ପାନୀ ମାଧ୍ୟମରେ ୧୬.୩୯ କୋଟି କଳା ଟଙ୍କା ଟ୍ରାନ୍ସଫର କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଇଡି ଜୈନ ପରିବାର ଓ ସେମାନଙ୍କ ସହ ଜଡ଼ିତ କମ୍ପାନୀ ଗୁଡିକର ୪.୮୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଥିଲା |

Comments are closed.