ଦେଶରେ ବଢ଼ୁଛି କରୋନା ସଂକ୍ରମଣ, ଗତ ୨୪ ଘଣ୍ଟାରେ ଆସିଲା ୬,୦୫୦ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ବଢ଼ୁଛି କୋଭିଡ୍-୧୯ ସଂକ୍ରମଣ । ଗତକାଲି ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଟପିଥିଲା । ଆଜି ୬ ହଜାରରୁ ଉର୍ଦ୍ଧ୍ଵ ମାମଲା ରିପୋର୍ଟ ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୦୫୦ ନୂଆ ମାମଲା ଆସିଛି, ଯାହା ଗତକାଲି ତୁଳନାରେ ୧୩% ଅଧିକ। ଏଥିସହ ସକ୍ରିୟ ମାମଲା ସଂଖ୍ୟା ୨୮,୩୦୩ କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୧୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫ ଲକ୍ଷ, ୩୦ ହଜାର ୯୪୩ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୪ କୋଟି ୪୧ ଲକ୍ଷ ୮୫ ହଜାର ୮୫୮ ଲୋକ କୋଭିଡରୁ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୩୩୪ କରୋନା ଟିକା ଦିଆଯାଇଛି । ଏପର୍ଯ୍ୟନ୍ତ ସାରା ଦେଶରେ ୨,୨୦,୬୬,୨୦,୭୦୦ (୨.୨୦ ବିଲିୟନ) ଟିକା ଡୋଜ୍ ପ୍ରଦାନ କରାଯାଇଛି।

Comments are closed.