ବଢ଼ୁଛି କରୋନା ସଂକ୍ରମଣ, ଏହି ତିନି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ:ଦେଶରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କିଛି ରାଜ୍ୟରେ ପୁଣି ମାସ୍କ ଫେରିଛି । ହରିୟାଣା, କେରଳ ଓ ପୁଡୁଚେରୀରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଶୁକ୍ରବାର ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ମାନଙ୍କ ସମୀକ୍ଷା ବୈଠକରେ ସତର୍କ ରହିବା ସହ କୋଭିଡ୍-୧୯ ମୁକାବିଲା ପାଇଁ ପ୍ରସ୍ତୁତି କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଏପ୍ରିଲ ୧୦ ଓ ୧୧ ରେ ଦେଶର ସମସ୍ତ ଡାକ୍ତରଖାନାରେ ଭିତ୍ତିଭୂମି ପ୍ରସ୍ତୁତି ଯାଞ୍ଚ୍ ପାଇଁ ମକ୍ ଡ୍ରିଲ୍ କରିବାକୁ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟଙ୍କୁ ଅନୁରୋଧ କରିଥିଲେ।

ସତର୍କତାମୂଳକ ପଦକ୍ଷେପ ଭାବେ ହରିୟାଣା ସରକାର ସର୍ବସାଧାରଣ ସ୍ଥାନରେ ଫେସ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜନସାଧାରଣଙ୍କୁ କୋଭିଡ୍ ନିୟମ ପାଳନ କରିବାକୁ ଅନୁରୋଧ କରିଛି। ରାଜ୍ୟର ସବୁ ଅଞ୍ଚଳରେ ଏହା ଲାଗୁ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

କେରଳ ସରକାର ମଧ୍ୟ ଗର୍ଭବତୀ ମହିଳା, ବୟସ୍କ ଲୋକ ଓ ପୁରୁଣା ରୋଗରେ ପୀଡିତ ଲୋକଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ରାଜ୍ୟରେ କୋଭିଡ୍-୧୯ ସ୍ଥିତିର ସମୀକ୍ଷା କରିବା ପାଇଁ ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ପରେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, କୋଭିଡ୍ ସମ୍ବନ୍ଧୀୟ ଅଧିକାଂଶ ମୃତ୍ୟୁ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ମଧୁମେହ ଭଳି ରୋଗୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ ହେବ।

ପୁଡୁଚେରୀ ପ୍ରଶାସନ ମଧ୍ୟ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି | ଡାକ୍ତରଖାନା, ହୋଟେଲ, ରେଷ୍ଟୁରାଣ୍ଟ, ମଦ ଦୋକାନ, ଥିଏଟର, ହଲ୍, ସରକାରୀ କାର୍ଯ୍ୟାଳୟ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ମାସ୍କ ପିନ୍ଧିବେ ।

Comments are closed.