ରାଜ୍ୟ ସରକାରଙ୍କ ପ୍ରଥମ ଡିଜିଟାଲ କ୍ୟାବିନେଟ ବୈଠକ, ୭ଟି ପ୍ରସ୍ତାବକୁ ଅନୁମୋଦନ , ଖୋଲିବ ‘ପରିବାର ନିର୍ଦ୍ଦେଶାଳୟ’ 

ଭୁବନେଶ୍ୱର – ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଡିଜିଟାଲ କ୍ୟାବିନେଟ ବୈଠକ କରିଛନ୍ତି। ଜାପାନର କ୍ୟୋଟୋ ସହରରୁ ଭିସି ଜରିଆରେ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ । କ୍ୟାବିନେଟ୍ ବୈଠକରେ ୭ଟି ପ୍ରସ୍ତାବରେ ମୋହର ବାଜିଛି । ଏଫପିଓ ପାଇଁ ଆରମ୍ଭ ହେବ ସହାୟତା ପାଣ୍ଠି । ଓଡ଼ିଶା ପରିବାର ନାମକ ଏକ ନୂଆ ନିର୍ଦ୍ଦେଶାଳୟ ଖୋଲାଯିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ରାଜ୍ୟ ବାହାରେ ଓ ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ଖୋଲିବ ଏହି ନିର୍ଦ୍ଦେଶାଳୟ । ସେହିପରି ୧୦ଟି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଂଜୁରୀ ଦେଇଛି ।

ରାଜ୍ୟ ସରକାରଙ୍କ ପ୍ରଥମ ଡିଜିଟାଲ କ୍ୟାବିନେଟ ବୈଠକରେ ଓଡ଼ିଶା ଷ୍ଟେଟ ୱାଇଡ ଏରିଆ ନେଟୱର୍କ – ଓଏସଡବ୍ଲୁଏଏନ ମାଧ୍ୟମରେ କ୍ୟାବିନେଟ ଫାଇଲର ପ୍ରକ୍ରିୟାକରଣ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି । କ୍ୟାବିନେଟ ବୈଠକରେ ଓଡ଼ିଶା ବିଧାନସଭାର ବଜେଟ ସତ୍ରାବସାନକୁ ମଧ୍ୟ ମଞ୍ଜୁରୀ ମିଳିଛି ।

ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଜନସେବା ପ୍ରଦାନରେ ୫-ଟି ଚାର୍ଟର ଅଂଶ ଭାବରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରିବାରେ ଆମେ ଅଗ୍ରଣୀ । ଉତ୍ତମ ଶାସନ ତଥା ସାଧାରଣ ଜନତାଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ପରିବର୍ତ୍ତନ ଆଣିବାରେ ଟେକ୍ନୋଲୋଜି ଏକ ସକ୍ଷମ ଉପକରଣ ଭାବରେ କାର୍ଯ୍ୟ କରିଛି। ଟେକ୍ନୋଲୋଜି ସରକାରଙ୍କ ମଧ୍ୟରେ ଏକ ସହଯୋଗୀ ପରିବେଶରେ ଶାରୀରିକ ଉପସ୍ଥିତିର ଆବଶ୍ୟକତା ଦୂର କରିଛି। ଏହି ଡିଜିଟାଲ୍ କ୍ୟାବିନେଟ୍ ଟେକ୍ନୋଲୋଜିର ସୀମା ଏବଂ ଶାସନର ଗତିକୁ ଆଗକୁ ଯିବାରେ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.