ଖଡ଼ଗେଙ୍କୁ ଭେଟିଲେ ନୀତୀଶ କୁମାର, ରାହୁଲ କହିଲେ ବିରୋଧୀଙ୍କ ଏକତା ପାଇଁ ‘ଐତିହାସିକ ପଦକ୍ଷେପ’

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ ଏକଜୁଟ୍ ହେବାକୁ ବିରୋଧୀ ଦଳଙ୍କ ଉଦ୍ୟମ ଜାରି ରହିଛି । ଦିଲ୍ଲୀ ଗସ୍ତରେ ଥିବା ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିରୋଧୀ ଦଳ ନେତାଙ୍କୁ ଭେଟୁଛନ୍ତି । ବୁଧବାର ଅପରାହ୍ନରେ ନୀତୀଶ କୁମାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି। ନୀତୀଶ କୁମାରଙ୍କ ସହ ଆରଜେଡି ନେତା ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ।

ଏହି ବୈଠକ ପରେ ରାହୁଲ ଗାନ୍ଧୀ ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି। ଦେଶ ପାଇଁ ବିରୋଧୀଙ୍କ ଯେଉଁ ଭିଜନ ରହିଛି ତାହାକୁ ଆମେ କାର୍ଯ୍ୟକାରୀ କରିବୁ। ଯେତେ ସବୁ ବିରୋଧୀ ଦଳ ଅଛନ୍ତି ସେମାନେ ଆମ ସହ ଚାଲିବେ, ଆମେ ସେମାନଙ୍କୁ ସାଙ୍ଗରେ ନେଇ ଚାଲିବୁ ‌। ଗଣତନ୍ତ୍ର ଓ ଦେଶ ଉପରେ ହେଉଥିବା ଆକ୍ରମଣ ବିରୋଧରେ ଆମେ ଏକାଠି ଛିଡ଼ା ହେବୁ ଓ ଲଢ଼ିବୁ ବୋଲି ରାହୁଲ କହିଛନ୍ତି ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଦେଶରେ ଅଧିକରୁ ଅଧିକ ଦଳକୁ ଏକଜୁଟ କରିବାକୁ ଉଦ୍ୟମ କରିବାକୁ ପଡିବ। ଭବିଷ୍ୟତରେ ଆମେ ଏକାଠି କାମ କରିବୁ ବୋଲି ନିଷ୍ପତ୍ତି ନିଆଯାଇଛି।

ଖଡ଼ଗେ ମଧ୍ୟ ଗତ କିଛି ଦିନ ମଧ୍ୟରେ ଅନେକ ବିରୋଧୀ ଦଳର ନେତାଙ୍କୁ ଭେଟିଛନ୍ତି । ବିଜେପିର ମୁକାବିଲା ପାଇଁ ସମଭାବାପନ୍ନ ଦଳଗୁଡ଼ିକ ମଧ୍ୟରେ ଏକତା ପାଇଁ ଖଡ଼ଗେ ନିକଟରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ଦିନରେ କଂଗ୍ରେସ ସଭାପତି ଅନ୍ୟ ବିରୋଧୀ ଦଳର ନେତାଙ୍କୁ ମଧ୍ୟ ଭେଟିବା ସମ୍ଭାବନା ରହିଛି।

ଉଲ୍ଲେଖଯୋଗ୍ୟ ଯେ ନୀତୀଶ କୁମାର ମଙ୍ଗଳବାର ଦିଲ୍ଲୀରେ ପହଞ୍ଚିଥିଲେ । ସେ ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କୁ ଭେଟିଥିଲେ। ନୀତୀଶ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ପଚାରିଥିଲେ। ସିଙ୍ଗାପୁରରୁ କିଡନୀ ଟ୍ରାନ୍ସପ୍ଲାଣ୍ଟ କରି ଭାରତକୁ ଫେରିବା ପରେ ନୀତୀଶ କୁମାରଙ୍କ ସହ ଏହା ତାଙ୍କର ପ୍ରଥମ ସାକ୍ଷାତ ଥିଲା । ଲାଲୁ ଦିଲ୍ଲୀରେ ତାଙ୍କ ଝିଅ ମିସା ଭାରତୀଙ୍କ ଘରେ ରହୁଛନ୍ତି ।

Comments are closed.